ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଗତ ବିକାଶମୂଳକ ପ୍ରକଳ୍ପ ଅନୁମୋଦନ
ଦେବଗଡ଼:
ଦେବଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଗତ ନୂତନ ଭାବେ ସାମିଲ ହୋଇଥିବା ଚାରିଟି ଗ୍ରାମର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟଖସଡ଼ା ଅନୁମୋଦନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅନୁମୋଦନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବାରକୋଟ ବ୍ଲକର ଅକ୍ଷରଶୀଳା ଓ ରାଇତାବାହାଲ ଏବଂ ରିଆମାଳ ବ୍ଲକର ସୁନାରୀପଡା ଓ ଧରମପୁର ଗ୍ରାମକୁ ଏହି ଯୋଜନାରେ ନୂତନ ଭାବେ ଅନ୍ତର୍ଭୁକ୍ତ କରାଯାଇଥିବା ବିଷୟରେ ଅବଗତ କରାଯାଇଥିଲା।
ଏହି ଚାରିଟି ଗ୍ରାମର ସମଗ୍ର ଉନ୍ନତି ପାଇଁ ପ୍ରତ୍ୟେକ ଗ୍ରାମକୁ ୪୦ ଲକ୍ଷ ଟଙ୍କା କରି ବ୍ୟୟ କରାଯିବାକୁ ନିର୍ଦ୍ଧାରଣ ହୋଇଥିବା ବେଳେ, ସର୍ବମୋଟ ୩୯ଟି ପ୍ରକଳ୍ପ ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କାର ଆକଳନକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପମାନଙ୍କ ମାଧ୍ୟମରେ ପାନୀୟ ଜଳ, ସଡ଼କ, ସ୍ୱାସ୍ଥ୍ୟ, ପରିଷ୍କାରତା ଓ ଅନ୍ୟାନ୍ୟ ଆଧାରଭୂତ ସୁବିଧାର ସମଗ୍ର ବିକାଶ କରାଯିବ।
ବୈଠକରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ମୁଖ୍ୟ ଚିକିତ୍ସାଧିକାରୀ ଧନୁର୍ଜୟ ମହନ୍ତ, ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଯନ୍ତ୍ରୀମାନେ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ସହିତ ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ରହିଥିଲେ ଓ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଭାଗର କର୍ମଚାରୀ କଲ୍ୟାଣ କିଶୋର କର ଓ ବ୍ୟୋମକେଶ ଶତପଥି ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ମୂଖ୍ୟ ଲକ୍ଷ୍ୟ ହେଉଛି ଅନୁସୂଚିତ ଜାତି ଅଧ୍ୟୁଷିତ ଗ୍ରାମମାନଙ୍କର ସମଗ୍ର ଉନ୍ନତି ସୁନିଶ୍ଚିତ କରି ସେଗୁଡ଼ିକୁ ଆଦର୍ଶ ଗ୍ରାମରେ ପରିଣତ କରିବା। ଏହା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ସମତୁଳ୍ୟ ବିକାଶ ଓ ସାମାଜିକ ନ୍ୟାୟକୁ ସୁଦୃଢ କରିବାକୁ ଲକ୍ଷ୍ୟ
