ପଞ୍ଚାୟତବାସୀଙ୍କ କାର୍ଯ୍ୟରେ ଆସୁନି କଲ୍ୟାଣ ମଣ୍ଡପ, ଲିଜରେ
ଦିଆଯାଇଛି ଏକ ଠିକା ସଂସ୍ଥାକୁ।
ଗଜପତି ( ଟିକି ଲିମା)
ବର୍ତ୍ତମାନ ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରିବାକୁ ହେଲେ ମଣ୍ଡପ ଓ ଟେଣ୍ଟ ବାବଦରେ ବହୁତ ଟଙ୍କା ବ୍ୟୟ କରିବାକୁ ପଡୁଛି । ଯାହାକି ଗ୍ରାମାଞ୍ଚଳର ନିରୀହ ଗରିବ ମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି ଯାଦ୍ୱାରା ପଞ୍ଚାୟତବାସୀ ସ୍ୱଳ୍ପ ମୂଲ୍ୟରେ ଯେକୌଣସି ଉତ୍ସବ ଆୟୋଜନ କରିପାରିବେ। କିନ୍ତୁ କେତେକ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ତାହା ବ୍ୟବହାର ଯୋଗ୍ୟ ନହେବାରୁ ଲୋକଙ୍କ କାମରେ ଆସୁନଥିବା ଜଣାପଡିଛି। ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ପଞ୍ଚାୟତରେ। ଝାମୀ ଗ୍ରାମର ସାହିମୁଣ୍ଡରେ ସରକାର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି। ହେଲେ ଏହି କଲ୍ୟାଣ ମଣ୍ଡପରେ କୌଣସି ଉତ୍ସବ ଆୟୋଜନ କରିବା ପରିବର୍ତ୍ତେ ଏହା ଗୋଟିଏ ଠିକା ସଂସ୍ଥାର ଗୋଦାମ ଗୃହ ପାଲଟିଥିବା ଦେଖିବାକୁ ମିଳିଛି। ପଞ୍ଚାୟତବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରେ ଟେଣ୍ଟ ଲଗାଇ ବିବାହ,ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରୁଥିବାବେଳେ କାହା ସ୍ୱାର୍ଥରେ ରୋଡ଼ କାମ କରୁଥିବା ଠିକା ସଂସ୍ଥାକୁ କଲ୍ୟାଣ ମଣ୍ଡପ ଲିଜରେ ଦିଆଯାଇଛିଏବଂ ଲୋକଙ୍କ ଅଧିକାରକୁ ବଳ ପୂର୍ବକ ଛଡାଇ ନେଲାପରି ଜଣା ପଡିଛି। ଏସମ୍ପର୍କରେ ଝାମୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ବିଡିଓ ଙ୍କ ଜାଣତରେ ଦିଆଯାଇଛି ବୋଲି କହିଛନ୍ତି କିନ୍ତୁ ବିଡିଓଙ୍କୁ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇନଥିଲା।
