ମହାନଦୀରେ ବୁଡ଼ି କଲେଜ ଛାତ୍ର ଙ୍କ ସଲୀଳ ସମାଧି।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଅଢେଇକୁଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଡକୋରକର ଗ୍ରାମର ଅନ୍ତର୍ଯ୍ୟାମୀ ଖଟୁଆଙ୍କ ପୁଅ ଅନୁଭବ ଖଟୁଆ (୧୭) ଶନିବାର ଦିନ ଦଶଟା ସମୟରେ କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ବାଙ୍କଳ ନିକଟ ମହାନଦୀ କୁ ଗାଧୋଇ ଯାଇ ସେଲଫି ନେଉଥିବା ବେଳେ ହଠାତ ଗୋଡ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲା। ତା ସହିତ ଯାଇଥିବା ଅନ୍ୟ ଦୁଇଜଣ ସାଙ୍ଗ ଏପରି ଅବସ୍ଥା ଦେଖି ବାଟରେ ଯାଉଥିବା ଲୋକଙ୍କୁ ପାଟି କରି ଡାକିବା ରୁ ସେମାନେ ପହଞ୍ଚି କିଶନ ନଗର ଥାନା ପୋଲିସ କୁ ଜଣାଇଥିଲେ। ଘଟଣାସ୍ଥଳରେ କିଶନ ନଗର ପୁଲିସ ଓ ରଘୁନାଥପୁର ଅଗ୍ନିଶମ ବାହିନୀ ସହାୟତାରେ ଦୀର୍ଘ ସମୟ ଧରି ପାଣିରେ ଖୋଜାଖୋଜି କରିବା ପରେ ବି ତାଙ୍କୁ ଉଦ୍ଧାର କରି ପାରିନଥିଲେ। ଏହି ଘଟଣାରେ ଗ୍ରାମବାସୀ ଓ ପରିବାର ଲୋକ ମାନଙ୍କ ପକ୍ଷରୁ ଓଡ଼୍ରାଫ୍ ଟିମ୍ କୁ ଖବର ଦିଆ ଯାଇଥିଲେ ମଧ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନପାରିବାରୁ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ସେମାନଙ୍କ ଦ୍ବାରା କିଛି ସମୟ ପାଇଁ କଟକ ପାରାଦ୍ୱୀପ ରାସ୍ତାର କୁଳସାହି ଛକ ଠାରେ ରାସ୍ତାରୋକ କରା ଯାଇଥିଲା। ଏ ସମ୍ପର୍କିତ ଖବରପାଇ ରଘୁନାଥପୁର ଥାନା ଅଧିକାରୀ ପ୍ରେମଜିତ ଦାସ ସେଠାରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା। ସଂଧ୍ୟା ସମୟପରେ କଟକ ଓଡ଼୍ରାଫ୍ ଟିମ୍ କୁ ଜଣାଇବାରେ ବାଙ୍କଳଠାରେ ସେମାନେ ପହଞ୍ଚି ଅନୁଭବଙ୍କୁ ଖୋଜିବା ଆରମ୍ଭ କରିଥିଲେ ଓ କିଛି ସମୟ ପରେ ମୃତ ଛାତ୍ର କୁ ଉଦ୍ଧାର କରିଥିଲେ । ମୃତ ଛାତ୍ର ଜଣଙ୍କ ରେଢୁଆସ୍ଥିତ ବୃନ୍ଦାବନ ଚନ୍ଦ୍ର କଲେଜ ରେ ଯୁକ୍ତ ଦୁଇ ପଢୁଥିଲେ। ତାଙ୍କ ମୃତ ଶରୀର ଉଦ୍ଧାର ପରେ ପୋଷ୍ଟମଟମ ପାଇଁ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କୁ ପଠାଇ ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
