ବରଗଡରେ ୨୦ତମ ଆଦର୍ଶ ଗଣ ବିବାହ ଅନୁଷ୍ଠିତ ଫୁଲେ ଜୟନ୍ତୀ ପାଳିତ ବରଗଡ :୧୧/୦୪(ନି, ପ୍ର) ବରଗଡ଼ରେ ଆଦର୍ଶ ଗଣ ବିବାହ । ଯେଉଁ ବାହା ଘରେ ବାଜିନଥିଲା ଡିଜେ କି ବ୍ରାସବ୍ୟାଣ୍ଡ ବାଜା । ନା ଫୁଟିଥିଲା ବାଣ ହୋଇନଥିଲା ଆତସବାଜି । ଆସିନଥିଲେ ବରଯାତ୍ରୀ କି ବନ୍ଧୁବାନ୍ଧବ । ନ ଥିଲା ମଦ, ମାଂସ ଭୋଜିଭାତ ଆସରର ଟେନସନ । ପିତାମାତାଙ୍କ ପାଇଁ ନ ଥିଲା ଯାନି ଯୌତୁକର ଚିନ୍ତା କିମ୍ବା ନ ଥିଲା ସୁନା, ରୂପା ଆୟ, ଅଳଙ୍କାର, ପାଟ ବସ୍ତ୍ର ଆଦି ଚିନ୍ତା । ପଣ୍ଡିତଙ୍କ ଦ୍ବାରା ମନ୍ତ୍ରପାଠ କରିନଥିଲେ କି ନ ଥିଲା ହୋମଯଜ୍ଞ ଆୟୋଜନ ଚିନ୍ତା । ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନର ନୀତି ନିୟମକୁ ସମ୍ମାନ ଜଣାଇ ଓ ଶପଥ ପାଠ କରି ସାତ ଜଣ ଯୁବକ ଯୁବତୀ ପୁଷ୍ପମାଲ୍ୟ ଦେଇ ପରସ୍ପରକୁ ନିଜର ଜୀବନ ସାଥି ଭାବେ ଜନ୍ମଜନ୍ମର ସାଥି ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବରଗଡ଼ରେ ବିଗତ ୨୦ ବର୍ଷ ଧରି ବାବା ସାହେବ ଆମ୍ବେଦକର ଚେରେଟେବୁଲ ଟ୍ରଷ୍ଟ ପକ୍ଷରୁ ସାମାଜିକ ପରିବର୍ତ୍ତନ ଓ ଆର୍ଥିକ ମୁକ୍ତି ଆନ୍ଦୋଳନ ସଚେତନତା ବାର୍ତା ନେଇ ଏଭଳି ଆଦର୍ଶ ଗଣ ବିବାହ ଯୁବ ପୀଢିଙ୍କୁ ଦେଇଛି ଏକ ଭିନ୍ନ ପ୍ରେରଣାର ବାର୍ତ୍ତା ।
