*ଓଡ଼ିଆ ପକ୍ଷ-୨୦୨୬: ବରଗଡ଼ ଜିଲ୍ଲାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ*
*ବରିଷ୍ଠ ଲୋକ କଳାକାରଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ*
*ଆମ ସମୃଦ୍ଧ ଲୋକକଳା ନେଇ ମନରେ ଗର୍ବ ଅନୁଭବ କରିବା: ଅତିରିକ୍ତ ଜିଲ୍ଲାପାଳ*
ବରଗଡ଼: ୧୦.୦୪.(ନି, ପ୍ର) ଓଡ଼ିଶାର ସମୃଦ୍ଧ ଲୋକକଳା ହେଉଛି ଓଡ଼ିଆ ଅସ୍ମିତାର ପରିଚୟ । ସାରା ବିଶ୍ୱରେ ଏହା ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି । ଲୋକକଳାର ଗୌରବ ବୃଦ୍ଧି କରିବା ସହ କଳାକାରମାନଙ୍କ ଅସୀମ ଦକ୍ଷତାକୁ ସମ୍ମାନିତ କରିବା ପାଇଁ ‘ଓଡ଼ିଆ ପକ୍ଷ’ ପାଳନ ଅବସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।
ଏହି ପରିପ୍ରେକ୍ଷିରେ, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ମୁଖ୍ୟାଳୟ ତଥା ସ୍ଥାନୀୟ ଟାଉନ ହଲ ଠାରେ ଏକ ସ୍ଵତନ୍ତ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସ୍ଥାନୀୟ କଳାକାରଙ୍କ ସମେତ ବିଭିନ୍ନ ବିଦ୍ୟାଳୟ- ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ବରଗଡ଼ ଜିଲ୍ଲାର ସମୃଦ୍ଧ ଲୋକକଳା ତଥା ଦୁଲଦୁଲି, ସଂଚାର ଓ ଗୁଡକା ନାଚ ପ୍ରଦର୍ଶନ କରିଥିବା ବେଳେ ଆମ ଅଞ୍ଚଳର ଲୋକକଳାର ପ୍ରଚାର ଓ ପ୍ରସାରରେ ଅବଦାନ ଥିବା ଜିଲ୍ଲାର ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଭାଷୀ ମାଧ୍ୟମରେ ଯୋଡି ହୋଇ ଓଡ଼ିଶାର ପ୍ରମୁଖ ଲୋକକଳା ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇ ଥିଲେ ।
ଅତିରିକ୍ତ ଜିଲ୍ଲାପାଳ ମଧୁଚନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସଂଚାର କଳାର ସଂରକ୍ଷଣ ତଥା ପ୍ରଚାର ପ୍ରସାର କରିଥିବା ଜିଲ୍ଲାର ୫ ଜଣ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କରିବା ପରେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଲୋକକଳା କ୍ଷେତ୍ରରେ ବରଗଡ଼ ଜିଲ୍ଲା ଓଡ଼ିଶା ତଥା ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିପାରିଛି । ବରଗଡ଼ ଧନୁଯାତ୍ରା ମୋହତ୍ସବ ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ । ଏହି ମାଟିର ସମସ୍ତ କଳାକାରଙ୍କ ପରିଶ୍ରମ ଏବଂ ନିଷ୍ଠା ହିଁ ଆମ ଜିଲ୍ଲାର କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି । ତେଣୁ ସମସ୍ତେ ଆମ ସମୃଦ୍ଧ ଲୋକକଳା ନେଇ ମନରେ ଗର୍ବ ଅନୁଭବ କରିବା ସହ ଆଗାମୀ ଦିନରେ ଲୋକକଳା ଜିନିଷକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ସହ ଲୋକକଳାର ପ୍ରଚାର ଓ ପ୍ରସାରରେ ସାମିଲ ହେବା ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋରଜ କୁମାର ଭୁଏ ଏବଂ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ତାହିର ହୁସେନ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
