ଚାଷୀଙ୍କ ଧାନ ନେଇ ମିଲର୍ସଙ୍କ ବେନିୟମ କଂଗ୍ରେସର ତିବ୍ର ବିରୋଧ, ଯୋଗାଣ ଅଧିକାରୀଙ୍କୁ ଘେରାଓ
ଦେବଗଡ଼ : ଜିଲ୍ଲାରେ ଚାଷୀମାନଙ୍କ ଧାନ କଟଣି ଓ ଛଟଣି ପରେ ମିଲର୍ସମାନେ ବ୍ୟାପକ ଭାବରେ ବେନିୟମ ଚାଳ ଚାଲୁଥିବା ଅଭିଯୋଗ ଉଠିଛି। ସୂଚନା ଅନୁଯାୟୀ, ୬୦ କ୍ୱିଣ୍ଟାଲ୍ରୁ ଅଧିକ ଧାନ ନିୟମବିରୋଧୀ ଭାବରେ ଗଛିତ ରଖାଯାଇଛି, ଯାହା ଚାଷୀମାନଙ୍କ ଅଧିକାରକୁ ସରାସରି ହାନି କରୁଛି।
ଏହି ଗୁରୁତର ଅଭିଯୋଗକୁ ନେଇ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା। ଚାଷୀମାନଙ୍କ ହକ୍ର ଧାନକୁ ତୁରନ୍ତ ଜବତ କରି ସେମାନଙ୍କୁ ଫେରାଇବା ଦାବୀରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା। ଘେରାଓ ସମୟରେ କଂଗ୍ରେସ କର୍ମୀମାନେ ପ୍ରଶାସନ ବିରୋଧରେ ଜୋରଦାର ନାରାବାଜି କରିଥିଲେ ଓ ତୁରନ୍ତ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ ଦାବୀ ଉଠାଇଥିଲେ।
ଘଟଣାର ଗୁରୁତ୍ୱକୁ ଦେଖି ପ୍ରଶାସନ ପକ୍ଷରୁ ମିଲ୍ଗୁଡ଼ିକରେ ସଂପୂର୍ଣ୍ଣ ତଦନ୍ତ କରାଯିବ ବୋଲି ଆଶ୍ୱାସନ ଦିଆଯାଇଥିଲା। ଏହା ସହିତ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଆଇନୁକ୍ତ କାର୍ଯ୍ୟବାହୀ କରାଯିବ ବୋଲି କୁହାଯାଇଥିଲା। ପ୍ରଶାସନର ଏହି ପ୍ରତିଶ୍ରୁତି ପରେ କଂଗ୍ରେସ ପକ୍ଷରୁ ଘେରାଓକୁ ଥାମାଯାଇଥିଲା।
ଏହି ଆନ୍ଦୋଳନରେ ସେମ୍ ହେମ୍ରମ, ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟନାୟକ, ଜିଲ୍ଲା କଂଗ୍ରେସ କମିଟୀ ସାଧାରଣ ସମ୍ପାଦକ ଶ୍ରୀତମ କୁମାର ସାହୁ, ଆକାଶ ଦାସ, ଜିଲ୍ଲା କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, ସମ୍ପାଦକ ସୁମନ୍ତ ବେହେରା, ଆଦିବାସୀ କଂଗ୍ରେସ ସଭାପତି ସୁଶିଲ ଗୁଡିଆ, ଏସ୍ସି ସେଲ୍ ସଭାପତି ରମେଶ ଚନ୍ଦ୍ର ପାତ୍ର ଓ କୁନା ଦେବ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।
ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣା, ତହସିଲଦାର ଓ ଆଇଆଇସି ସବ୍ୟସାଚୀ ଶତପଥି ମଧ୍ୟ ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିକୁ ସମ୍ଭାଳିଥିଲେ।
ଜିଲ୍ଲାରେ ଏହି ଘଟଣା ପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହିତ, ପ୍ରଶାସନ କେତେ ଶୀଘ୍ର ଓ କେମିତି ପଦକ୍ଷେପ ନେବ ସେଥିରେ ସମସ୍ତଙ୍କ ଦୃଷ୍ଟି ରହିଛି।
