ପୁରୁଣା ରାସ୍ତାକୁ ନୂତନ ଦେଖାଇ ଅନିୟମିତତା ଅଭିଯୋଗ : ମଣ୍ଡାପାଳ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବି !
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ସଦର ବ୍ଲକ୍ : ନୂଆଗାଁ ଗ୍ରାମପଞ୍ଚାୟତ ମଣ୍ଡାପାଳ ଗ୍ରାମରେ ପୁରୁଣା ରାସ୍ତାକୁ ଅଳ୍ପ ମାଟି ପକାଇ ନୂତନ ରାସ୍ତା ଭାବେ ପ୍ରଦର୍ଶନ କରି ବିଲ୍ ଉଠାଯାଉଥିବା ଅଭିଯୋଗ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, “ମା’ ବାଉତି ମନ୍ଦିର ଠାରୁ ନୂଆଗାଁ ଜୋର” ପର୍ଯ୍ୟନ୍ତ ଥିବା ପୁରୁଣା ରାସ୍ତାକୁ ୨୦୨୨ ରୁ ୨୦୨୪ ମଧ୍ୟରେ ନୂତନ ଭାବେ ନିର୍ମାଣ କରାଯାଇଥିଲା। କିନ୍ତୁ କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ କର୍ମଚାରୀଙ୍କ ସହ ମିଳିତ ହୋଇ ଗ୍ରାମବାସୀଙ୍କ ଅଜାଣାରେ ରାତିରେ ଜେସିବି ମେସିନ୍ ଦ୍ୱାରା ଏହି ପୁରୁଣା ରାସ୍ତା ଉପରେ ସାମାନ୍ୟ ମାଟି ପକାଇ ଏକ ନୂତନ ନାମଫଳକ ଲଗାଇଥିବା ଅଭିଯୋଗ ହୋଇଛି। ଏହି କାମକୁ “ମଣ୍ଡାପାଳ କୋଚିଲାବଣି ଠାରୁ ବଡଜୋରା ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ” ନାମ ଦେଇ ଅନ୍ୟ ଏକ ଆର୍.ଡି. ରାସ୍ତାର ନାମରେ ବିଲ୍ ଉଠାଯାଉଥିବା ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏଥିରେ କିଛି ଜବ୍କାର୍ଡଧାରୀଙ୍କୁ ଜଡିତ କରାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଉକ୍ତ କାର୍ଯ୍ୟର କୋଡ୍ ନଂ–୨୪୦୭୦୦୧୦୩୦/ଆର୍.ସି./୧୦୬୧୨୭୫୦ ଓ ଅଟକଳ ମୂଲ୍ୟ ପ୍ରାୟ ୯.୪ ଲକ୍ଷ ଟଙ୍କା ଥିବା କୁହାଯାଇଛି। ଏହିପରି ଅନିୟମିତତାକୁ ତୁରନ୍ତ ବନ୍ଦ କରିବା ସହିତ ଉକ୍ତ କାର୍ଯ୍ୟର ବିଲ୍କୁ ସ୍ଥଗିତ ରଖିବା ଓ ନୂଆଗାଁ ଗ୍ରାମପଞ୍ଚାୟତର ଜେ.ଇ. ଏବଂ ଜି.ଆର୍.ଏସ୍.ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି।
