ଜାତୀୟ ଜନଗଣନା ରେ ଡିଜିଟାଲ ପଞ୍ଜୀକରଣ ର ଶୁଭାରମ୍ଭ।
ରଘୁନାଥପୁ(ନି.ପ୍ର): ଜାତୀୟ ଜନଗଣନା ୨୦୨୭ ପ୍ରଥମ ଭାଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱ ପଞ୍ଜିକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ସ୍ଵତନ୍ତ୍ର ୱେବସାଇଟ।ଉତ୍କଳ ଦିବସ ଉପଲକ୍ଷେ ଆରମ୍ଭ ହୋଇଥିଲା ପୋର୍ଟାଲ ମାଧ୍ୟମରେ ସ୍ୱ ପଞ୍ଜିକରଣ ବ୍ୟବସ୍ଥା ଓ ପ୍ରଥମ ପର୍ଯ୍ୟାୟରେ ଚାର୍ଜ ଅଫିସର ତଥା ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କ ତତ୍ତ୍ଵାବଧାନରେ ଅଧିକାରୀମାନେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଘରେ ପହଞ୍ଚି ଏ ସମ୍ପର୍କରେ ସଚେତନ କରିଥିଲେ। ଏହି କ୍ରମରେ ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା ନେତୃତ୍ୱରେ ଜନଗଣନା ଦାୟୀତ୍ୱରେ ଥିବା ତହସିଲ କର୍ମଚାରୀ ଅବିନାଶ ସେଠୀ, ଫିଲ୍ଡ ଟ୍ରେନର ରଞ୍ଜନ କୁମାର ମିଶ୍ର ଓ ଅକ୍ଷୟ କୁମାର ମହାନ୍ତି ଏବଂ ସୁପରଭାଇଜର ଜୟପ୍ରକାଶ ପଣ୍ଡା ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ, ଶିକ୍ଷାବିତ, ସଫଳ ଉଦ୍ୟୋଗୀ, ସଫଳ ଚାଷୀ ଓ ବୁଦ୍ଧିଜୀବୀଙ୍କ ଘରେ ପହଞ୍ଚି ସଚେତନତା କରାଇଥିଲେ। ଜନଗଣନା ଏକ ଜାତୀୟ କାର୍ଯ୍ୟକ୍ରମ ଓ ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ନିତ୍ୟାନ୍ତ ଆବଶ୍ୟକ । ଏଥି ନିମନ୍ତେ ସରକାରଙ୍କ ପ୍ରଦତ୍ତ ୱେବସାଇଟରେ କିପରି ନାମ ଓ ଅନ୍ୟାନ୍ୟ ତଥ୍ୟ ସବୁ ପଞ୍ଜିକରଣ କରାଯିବ ସେ ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହାଛଡା ଯେ କୌଣସି ବ୍ୟକ୍ତି ପୋର୍ଟାଲ ମାଧ୍ୟମରେ ତଥ୍ୟ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଏକ ଆଇଡି ନମ୍ବର ପ୍ରାପ୍ତ ହେବ। ଏହି ଆଇଡି ନମ୍ବରକୁ ସେମାନେ ମନେ ରଖିବେ କିମ୍ବା ଲିଖିତ ଭାବେ ରଖିବେ, ଯଦି କେହି ବ୍ୟକ୍ତି ଏଥିରେ ସନ୍ତୋଷ ଜନକ ଉତ୍ତର ରଖି ନାହାନ୍ତି କିମ୍ବା କୌଣସି ତଥ୍ୟ ଭୁଲ ରହିଛି ତାହାଲେ ଦାୟୀତ୍ୱରେ ଥିବା ଅଧିକାରୀମାନେ ଘରକୁ ଗଲେ ସେମାନଙ୍କୁ ଆଇଡି ନମ୍ବର ଦେଇ ପୋର୍ଟାଲ ଖୋଲି ଏହାକୁ ସଂଶୋଧନ କିମ୍ବା ପରିବର୍ତ୍ତନ କରିପାରିବେ ବୋଲି ତହସିଲଦାର ଶ୍ରୀମତୀ ନାୟକ ସୂଚନା ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଏପ୍ରିଲ ୧୬ ରୁ ମେ ମାସ ୧୫ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଜନଗଣନାକାରିମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରକୁ ଯାଇ ତଦାରଖ କରିବେ। ଏହି ଜନଗଣନା ୧ ବର୍ଷ ଅର୍ଥାତ୍ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଦିଆଯାଉଥିବା ସମସ୍ତ ତଥ୍ୟ ଗୋପନୀୟ ରହିବ ବୋଲି ତହସିଲଦାର ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।
