କେନ୍ଦୁଝରରେ ତିନି ଦିନିଆ ଉଦ୍ୟୋଗ ବିକାଶ ତାଲିମ ଶିବିର ଉଦ୍ଯାପିତ
କେନ୍ଦୁଝର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ) ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଏକ୍ସଟେନସନ୍ ଟ୍ରେନିଙ୍ଗ ସେଣ୍ଟର୍ ,କେନ୍ଦୁଝର ସମ୍ମିଳନୀ କକ୍ଷଠାରେ ବାଂଶପାଳ ଏବଂ ସଦର ବ୍ଲକର ଖଣି ପ୍ରଭାବିତ ଗ୍ରାମଗୁଡିକ ପାଇଁ ଏକ ୩ ଦିନିଆ ଆବାସିକ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ଉଦ୍ୟୋଗ ପ୍ରତିଷ୍ଠା ଓ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡ. ରୀନା ପ୍ରଧାନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ସୁଧା ଓରାମ,ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ) ର ପରାମର୍ଶଦାତା ଓ ପୂର୍ବାଞ୍ଚଳ ମୁଖ୍ୟ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ସିନିୟର ପ୍ରୋଗ୍ରାମ୍ ଅଧିକାରୀ ଶ୍ରୀ ସଚିକାନ୍ତ ମଲିକ,ଇ.ଡି.ଆଇ.ଆଇ ସ୍ଟାଫ୍ ସୁମନ ଦାଶ,ଟ୍ରେନର୍ ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ଯୋଗଦାନରେ କାର୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା।
ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବକ ଓ ଯୁବତୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଉଦ୍ୟମୀତ୍ୱ ଦକ୍ଷତାରେ ସଜ୍ଜ କରିବା। ପ୍ରଶିକ୍ଷଣ ସମୟରେ ଅଂଶଗ୍ରହୀମାନଙ୍କୁ ବ୍ୟବସାୟ ଆରମ୍ଭ କରିବାର ପ୍ରକ୍ରିୟା, ବଜାର ବିଶ୍ଳେଷଣ, ଅର୍ଥ ପ୍ରବନ୍ଧନ, ଓ ସରକାରୀ ଯୋଜନା ସମ୍ବନ୍ଧୀୟ ଜ୍ଞାନ ଦିଆଯାଇଥିଲା।
ଏହି ଅବସରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡ. ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ‘ବେସଲାଇନ ସର୍ଭେ ବୁକ୍’ ଏବଂ ‘ଦୈନିକ ଟ୍ରାକିଂ ରିପୋର୍ଟ’ ଉନ୍ମୋଚନ କରିଥିଲେ। ଅଞ୍ଚଳର ଆର୍ଥିକ ବିକାଶ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।
ଏହି ତିନିଦିନିଆ ପ୍ରଶିକ୍ଷଣରେ ଅନେକ ଆଗ୍ରହୀ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ଓ ସେମାନେ ଏହାରୁ ବହୁତ ଉପକୃତ ହୋଇଥିବା କହିଛନ୍ତି। କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାରେ ଉଦ୍ୟମୀତ୍ୱ ଉନ୍ନତି ପାଇଁ ଏକ ନୂତନ ଦିଗ ଦେଇଛି ବୋଲି ମତ ପ୍ରକାଶ ପାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ) ର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ତାଲିମଦାତାଙ୍କୁ ଉତ୍ସାହିତ କରିଥିଲେ।
