୬୪ ତମ ବାର୍ଷିକ ଉତ୍ସବ ଓ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।
ରେଢ଼ାଖୋଲ ୧୯.୦୩(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ କୁକୁଡାବାହାଳି ପଞ୍ଚାୟତ ଅଧୀନ ଶିଶୁପର୍ଣ୍ଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬୪ ତମ ବାର୍ଷିକ ଉତ୍ସବ ପାଳନ ସହିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ହରିହର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କାଲୁ ସ୍ୱାଇଁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶରେ ଶିକ୍ଷା ଓ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବରେ କୁକୁଡ଼ାବାହାଳି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ତଥା ସମସ୍ତ ଅଭିଭାବକ ମାନେ ଯୋଗଦେଇ ବିଦ୍ୟାଳୟ ଶିକ୍ଷା ଓ ଛାତ୍ର ଜୀବନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମତଃ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଗତ ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ଏନଏମଏମଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଅଷ୍ଟମ ଶ୍ରେଣୀ ଛାତ୍ର କାହ୍ନୁ ବେହେରାଙ୍କୁ ମୁଖ୍ୟ ଅତିଥି ସ୍ୱତନ୍ତ୍ର ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ସ୍ୱତନ୍ତ୍ର ଶୁଭେଚ୍ଛା ଏବଂ ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ଆଶୀର୍ବାଦ ବାର୍ତ୍ତା ଦେଇଥିଲେ। ଏହି ଉତ୍ସବରେ ସ୍କୁଲର ଶିକ୍ଷୟିତ୍ରୀ ପଙ୍କଜିନୀ ଲୁହୁରା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଲିଲିବତୀ ପ୍ରଧାନ ଓ ଇତିଶ୍ରୀ ନାଗ ସହାୟତା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମମତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
