LPG Bottling Plant ଶ୍ରମିକମାନଙ୍କ ସମସ୍ୟା ନେଇ ବୈଠକ: କାର୍ଯ୍ୟଦିନ କମିବାରୁ ଗୁଜରାଣ ସମସ୍ୟା
ବାଲେଶ୍ବର, ତା–୧୫.୦୩: ହିନ୍ଦ ମଜଦୁର ସଭା ଜିଲ୍ଲା କାର୍ଯ୍ୟାଳୟରେ ଆଜି LPG Bottling Plant ର handling ଶ୍ରମିକମାନଙ୍କର ଏକ ବୈଠକ ହିନ୍ଦ ମଜଦୁର ସଭାର ଜିଲ୍ଲା ସଭାପତି ଅରୁଣ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରମିକମାନେ ଦୀର୍ଘଦିନ ଧରି ଭୋଗୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଉତ୍ଥାପନ କରିଥିଲେ। ଶ୍ରମିକମାନଙ୍କ କହିବା ଅନୁସାରେ ପୂର୍ବରୁ ସେମାନେ ମାସକୁ ୨୬ ଦିନ କାର୍ଯ୍ୟ କରୁଥିଲେ, କିନ୍ତୁ ଗତ ତିନି ମାସ ଧରି ସେମାନଙ୍କୁ କେବଳ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ କାମ ଦିଆଯାଉଛି। ଏହା ଫଳରେ ଶ୍ରମିକମାନଙ୍କର ଜୀବିକା ଚାଳନା କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି ଓ ସେମାନେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରୁଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ଅଣକୁଶଳ ଶ୍ରମିକ ଭାବେ ମଜୁରୀ ଦିଆଯାଉଥିବା ଓ ବର୍ଷଧରି କୌଣସି ବେତନ ବୃଦ୍ଧି ନ ହେବାକୁ ନେଇ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ଅରୁଣ କୁମାର ସ୍ୱାଇଁ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ LPG Bottling Plant ରେ ବାଲେଶ୍ୱର ଜିଲ୍ଲାର ଶତାଧିକ ଶ୍ରମିକ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ଏଠାରେ ଦୁଇଟି shift ଚାଲୁଥିଲା, କିନ୍ତୁ ଗତ ଅକ୍ଟୋବର ମାସରୁ କେବଳ ଗୋଟିଏ shift ଚାଲୁ ରହିଛି। ଏହାର ପରିଣାମରେ ଶ୍ରମିକମାନଙ୍କ କାର୍ଯ୍ୟଦିନ କମିଯାଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି। ଏହି ସମସ୍ୟା ସମାଧାନ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ବାଲେଶ୍ୱର ଜିଲ୍ଲାର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମାନ୍ୟବର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ (ଡେପୁଟି ଚିଫ୍ ହ୍ୱିପ୍)ଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଏହି ବୈଠକରେ ସଂଗଠନର ସାଧାରଣ ସମ୍ପାଦକ ସୁଶାନ୍ତ ରାଉତ ସହିତ ଅନେକ ଶ୍ରମିକ ଉପସ୍ଥିତ ଥିଲେ।
