*ବାଲି,ଇଟା ମହଙ୍ଗା ପାଇଁ ବଳି ପଡୁଛି ଆବାସ ଯୋଜନା **
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବାଲିଘାଟ ଓ ଇଟା ଭାଟି ବନ୍ଦ ହୋଇଯାଇଥିବାରୁ ସାଧାରଣ ଲୋକଙ୍କ ଘର ନିର୍ମାଣ କାମ ଗୁରୁତର ସଙ୍କଟରେ ପଡ଼ିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ପୂର୍ବରୁ ବାଲି ଉଠାଣ ଚାଲୁଥିବା ସମୟରେ ସରକାରୀ ନଜରରେ ଏହାକୁ ଅବୈଧ ବୋଲି କୁହାଯାଉଥିଲେ ମଧ୍ୟ ସାଧାରଣ ଲୋକମାନେ ଘର ନିର୍ମାଣ ପାଇଁ ସହଜ ମୂଲ୍ୟରେ ବାଲି ପାଇପାରୁଥିଲେ। କିନ୍ତୁ ବର୍ତ୍ତମାନ ବାଲିଘାଟ ବନ୍ଦ ହୋଇଯାଇଥିବାରୁ ଘର ତିଆରି ପାଇଁ ଆବଶ୍ୟକ ବାଲି ସହଜରେ ମିଳୁନାହିଁ। ଏହାର ପ୍ରଭାବରେ ସାଧାରଣ ଲୋକମାନେ ଘର କାମ କେମିତି କରିବେ ବୋଲି ଦୁଶ୍ଚିନ୍ତାରେ ପଡ଼ିଛନ୍ତି।
ଏହା ସହ ଅଞ୍ଚଳର ଅନେକ ଇଟା ଭାଟି ବନ୍ଦ କରାଯାଇଥିବାରୁ ଇଟାର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ପୂର୍ବରୁ ସାଧାରଣ ମୂଲ୍ୟରେ ଇଟା ମିଳୁଥିଲେ ମଧ୍ୟ ବର୍ତ୍ତମାନ ଲୋକମାନେ ଉଚ୍ଚ ଦାମରେ ଇଟା କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଛଡ଼ା ଇଟା ଭାଟିରେ କାମ କରୁଥିବା ଅନେକ ମଜୁର ମଧ୍ୟ ବେକାର ହୋଇପଡ଼ିଥିବା ଅଭିଯୋଗ ହେଉଛି।
ସେହିପରି ଗରିବ ଲୋକଙ୍କ ପାଇଁ ସରକାର ଦେଉଥିବା ଆବାସ ଯୋଜନାର ଅର୍ଥରେ ଘର ତିଆରି କରିବା ଏବେ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ସରକାର ଯେଉଁ ଗରିବ ପରିବାରଙ୍କୁ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାରେ ଘର ଦେଉଛନ୍ତି, ସେତେ ଟଙ୍କାରେ ବର୍ତ୍ତମାନ ସମୟରେ ଏକ ଘର ନିର୍ମାଣ କରିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି ବୋଲି ସେମାନେ କହିଛନ୍ତି।
ପୂର୍ବରୁ ବାଲିଘାଟ ମାଧ୍ୟମରେ ଲୋକମାନେ ଘର ନିର୍ମାଣ ପାଇଁ ସହଜରେ ବାଲି ପାଉଥିଲେ। କେତେକ ସ୍ଥାନରେ ଗରିବ ଲୋକଙ୍କ ଘର ନିର୍ମାଣ ପାଇଁ ମାଗଣାରେ ବାଲି ଯୋଗାଇ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ପଞ୍ଚାୟତ ସହିତ ଆଖପାଖ ୮ରୁ ୧୦ଟି ପଞ୍ଚାୟତରେ ମଧ୍ୟ ଗୋଟିଏ ଟ୍ରାକ୍ଟର ବାଲି ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି। ଏହା ଫଳରେ ଗରିବ ଲୋକଙ୍କ ଘର ନିର୍ମାଣ କାମ ପୂରାପୂରି ପ୍ରଭାବିତ ହୋଇଛି।
ଏହା ସହ ବାଲିଘାଟ ବନ୍ଦ ହେବାରୁ ଯେମାନେ ସେଥିରେ କାମ କରି ଜୀବିକା ଚଲାଉଥିଲେ ସେମାନେ ମଧ୍ୟ ବେକାର ହୋଇପଡ଼ିଛନ୍ତି। ସେମାନଙ୍କ ପାଇଁ ସରକାର କୌଣସି ପୁନର୍ବାସ ବା ଚାକିରିର ବ୍ୟବସ୍ଥା କରିଛନ୍ତି କି ନାହିଁ ବୋଲି ପ୍ରଶ୍ନ ଉଠିଛି।
ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସଚେତନ ହୋଇ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଶୀଘ୍ର ସୁବ୍ୟବସ୍ଥା କରିବାକୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଲୋକମାନେ ରାଜ୍ୟସ୍ତରରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଯାଇଛି।
