*ନୂଆପଡା ଜିଲ୍ଲାପାଳଙ୍କ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟ ପରିଦର୍ଶନ l ସ୍ୱଚ୍ଛତା ଅଭିଯାନ ଓ ଶିକ୍ଷା କାର୍ଯ୍ୟକଳାପର ସମୀକ୍ଷା କଲେ l*
ନୂଆପଡ଼ା(ମିଖାଏଲ ନନ୍ଦ)
ତା ୧୪/୦୩
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ସିନାପାଲି ବ୍ଲକର ବିଭିନ୍ନ ସ୍ଥାନ ଓ ବିଦ୍ୟାଳୟ ପରିଦର୍ଶନ କରି ଚାଲୁଥିବା ଉନ୍ନୟନ କାର୍ଯ୍ୟ, ସ୍ୱଚ୍ଛତା ଅଭିଯାନ ଓ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।ପରିଦର୍ଶନ କାର୍ଯ୍ୟକ୍ରମ ସିନାପାଲି ବ୍ଲକର ଜୁଗେନପଦର ଛକ ଠାରୁ ଆରମ୍ଭ ହୋଇଥିଲା। ପରେ ସେ ଗୋଡାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ତାଙ୍କର ପାଠପଢ଼ା ଓ ସ୍କୁଲ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ। ତାପରେ ଗୋଡାଳ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରି ସ୍ଵଚ୍ଛତା ଅଭିଯାନରେ ଯୋଗଦେଇଥିଲେ। ଏହି ସମୟରେ ସେ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ (MDM) ଗ୍ରହଣ କରିଥିଲେ ଓ ଭୋଜନର ଗୁଣବତ୍ତା ଯାଞ୍ଚ କରିଥିଲେ। ନିରନ୍ତର ଶିକ୍ଷା ଗ୍ରହଣ , ପରିଚ୍ଛନ୍ନତା ଓ ଶୃଙ୍ଖଳା ରକ୍ଷା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ।ଏହା ଛାତ୍ରଛାତ୍ରୀମାନଙ୍କୁ ବହୁତ ଉତ୍ସାହିତ କରିଥିଲା।
ପରେ ସେ ମହଗାଁ ଗ୍ରାମକୁ ଯାଇ ସ୍ୱଚ୍ଛତା ଅଭିଯାନ ସମୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ଓ ଗ୍ରାମ ବିକାଶରେ ତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।ମହଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ସମୟରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଦୁଇଟି ଅଭିଯୋଗ ଗ୍ରହଣ କରାଯାଇଥିଲା— ଗୋଟିଏ ପିଏମଜିଏୱାଇ (ଗ୍ରାମୀଣ) ଘର ପାଇଁ ବିଦ୍ୟୁତ ସଂଯୋଗ ସମ୍ପର୍କିତ ଓ ଅନ୍ୟଟି ସ୍କୁଲର ପାଚିକା ସମ୍ପର୍କିତ। ଏହାର ଶୀଘ୍ର ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସେ ମହଗାଁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ଓ ଓଷ୍ଟ୍ଟା ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦେଇ ଶିକ୍ଷାର ଗୁଣମାନ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
