ବସ୍ତି ବାସିନ୍ଦାଙ୍କୁ ବର୍ଷ ବର୍ଷ ଧରି ମିଳୁନି ରାସ୍ତା
: ‘ଜଣଙ୍କୁ’ ଗୁରୁତ୍ଵ ‘ଗଣଙ୍କୁ’ ଉପେକ୍ଷା
(ବେତନଟୀ ରେ ବିକଶିତ ଗାଁ ବିକଶିତ ଓଡିଶା ର ବିକଳ ଚିତ୍ର)
ବେତନଟୀ : ସରକାର ବଦଳିଲେ, ନାରା ବଦଳିଲା, ହେଲେ ବଦଳିଲାନି ବେତନଟୀ ବ୍ଲକର ଭାଗ୍ୟ। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଏବେ ସାଧାରଣ ଲୋକଙ୍କ ପାଇଁ ପ୍ରହସନ ପାଲଟିଥିବା ବେଳେ ଠିକାଦାର ଓ କୁଜି ନେତାଙ୍କ ପାଇଁ ମଧୁଶଯ୍ୟା ସଦୃଶ ହୋଇଛି। ବେତନଟୀ ଗ୍ରାମ ପଞ୍ଚାୟତରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟକୁ ଦେଖିଲେ ଜନସାଧାରଣଙ୍କ ସ୍ୱାର୍ଥ ଅପେକ୍ଷା ବ୍ଯକ୍ତିଗତ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
“ଅଗ୍ରାଧିକାରରେ ଅନ୍ଧ ଶାସନ: ୫ ଲକ୍ଷ ବନାମ ୫୦୦ ଜୀବନ”
ଅଭିଯୋଗ ଅନୁଯାୟୀ, ଏସ.ଏସ.ମହୁଲିଆ ଅଞ୍ଚଳରେ ଅଶ୍ୱନି ଦାସଙ୍କ ଘରଠାରୁ ପ୍ରଫୁଲ୍ଲ କବାଟଙ୍କ ଘର ପର୍ଯ୍ୟନ୍ତ ଏକ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଏହି ରାସ୍ତାଟି କେବଳ ଜଣେ କୁଜି ନେତା ବା ଠିକାଦାରଙ୍କ ସ୍ୱାର୍ଥ ରକ୍ଷା କରୁଥିବା ବେଳେ, ପାଖରେ ଥିବା ଇନ୍ଦିରାନଗରର ପ୍ରାୟ ତିନି-ଚାରି ଶହ ଅଧିବାସୀ ବର୍ଷ ବର୍ଷ ଧରି କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଛନ୍ତି। ବର୍ଷା ଦିନେ ସ୍କୁଲ ପିଲା ଓ ଗର୍ଭବତୀ ମହିଳାମାନେ ଅଣ୍ଠୁଏ ପାଣିରେ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ସେଥିପ୍ରତି ପଡୁନାହିଁ। ସେହି ପରି ବିକାଶର ଆଉ ଏକ ନମୂନା ଦେଖିବାକୁ ମିଳିଛି ଜନଶୂନ୍ୟ ଅଞ୍ଚଳରେ ଥିବା ବେତନଟୀ ଏକ ପରିତ୍ୟକ୍ତ ପୋଖରୀ କ୍ଷେତ୍ରରେ। ଜନସାଧାରଣଙ୍କ ବ୍ୟବହାରରେ ଆସୁନଥିବା ଏହି ପୋଖରୀ ପାଇଁ: ବିକଶିତ ଗାଁ ବିକଶିତ ଓଡ଼ିଶାର: ୩ଟି ଯୋଜନାରେ ୨୮ ଲକ୍ଷ ୫୦ ହଜାର ଟଙ୍କା।
ଏମ୍ ଜି ଏନ୍ ଆର ଇ ଜି ଏ ଯୋଜନାରେ: ୧୦ ଲକ୍ଷ ଟଙ୍କା। ଏମ୍ ଏଲ୍ ଏ ଫଣ୍ଡ ରେ: ୪ ଲକ୍ଷ ଟଙ୍କା।
ସମୁଦାୟ ୪୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବା ସୂଚନା ଫଳକରୁ ଜଣାପଡିଛି। କିନ୍ତୁ ବିଡ଼ମ୍ବନାର ବିଷୟ, ବେତନଟୀ ବଜାରର ମୁଖ୍ୟ ଜଳାଶୟ ‘ସୁଖିଲାହାର ବନ୍ଦ’କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଯେଉଁ ଜଳାଶୟ ଉପରେ ହଜାର ହଜାର ଲୋକ ଓ ପଶୁପକ୍ଷୀ ନିର୍ଭର କରନ୍ତି, ତାହା ଏବେ ପଙ୍କ ଓ ଦଳରେ ଭର୍ତ୍ତି ହୋଇ ଶୁଖିବାକୁ ବସିଲାଣି। ଡବଲ ଇଞ୍ଜିନ ସରକାରଙ୍କୁ ନେଇ ଉଠିଲା ପ୍ରଶ୍ନ ଚା’ ଖଟିଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଏବେ ଗୋଟିଏ ଆଲୋଚନା “ଏହା କ’ଣ ବାସ୍ତବରେ ବିକଶିତ ଓଡ଼ିଶା?” ଲୋକଙ୍କ କହିବା ଅନୁଯାୟୀ, ବିଜେପି ସରକାର ସମସ୍ତଙ୍କ ବିକାଶର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ବାସ୍ତବରେ ଏହା କେବଳ ଦଳୀୟ କର୍ମକର୍ତ୍ତା, ବିଧାୟକ, ସାଂସଦ ଏବଂ ତାଙ୍କ ପୋଷା ଠିକାଦାରଙ୍କ ବିକାଶରେ ସୀମିତ ରହିଯାଇଛି।
“ସାଧାରଣ ଲୋକଙ୍କ ଟିକସ ଟଙ୍କାରେ କୁଜି ନେତାଙ୍କ ପକେଟ୍ ଗରମ ହେଉଛି, ଅଥଚ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗରିବ ଜନତା। ଏ ସରକାର ଲୋକଙ୍କର ନା କେବଳ ନିଜ ଦଳର?” ବୋଲି ବେତନଟୀର ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
