ଦେବୋତ୍ତର ଜାଗା କୁ ବିକିବା ପାଇଁ ମନରେଗା ରାସ୍ତାକୁ ଢାଲ କରୁଛନ୍ତି ସରପଞ୍ଚ
ଜନ ଶୂନ୍ୟ ଜାଗାକୁ ମନରେଗା ରାସ୍ତା କାହା ସ୍ୱାର୍ଥରେ
ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କ ପକ୍ଷରୁ ସରକାରୀ ପାଣ୍ଠି ବିନିଯୋଗରେ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଉନ୍ନତିକରଣ କରାଯାଇଥାଏ ସେହି ଅଞ୍ଚଳର ସାଧାରଣ ଜନତାଙ୍କ ଆବଶ୍ୟକତା କୁ ବିଚାର କରି ରାସ୍ତା ଆଲୋକି କାରଣ, ବସ୍ତି ବାସିନ୍ଦାଙ୍କ ପାଇଁ ରାସ୍ତା, ଗ୍ରାମ କୁ ପାନୀୟ ଜଳ ଯୋଗାଣ, ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଡ୍ରେନ ସଫା ଭଳି ସୁବିଧା ମାନ ଯୋଗାଇଥାନ୍ତି। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ବେତନଟୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳର ଜନସାଧାରଣଙ୍କ ସୁଖ ସୁବିଧା କୁ ଉପେକ୍ଷା କରି ସରକାରୀ ଟଙ୍କାରେ ସରକାରୀ ସ୍ଥାନରେ ନିଜର ବ୍ୟକ୍ତି ଗତ ସୁବିଧାକୁ ଗୁରୁତ୍ଵ ଦେଇ ଏମ୍ ଜି ଏନ୍ ଆର୍ ଇ ଜି ଏ ଯୋଜନାରେ ଏକ ରାସ୍ତା ନିର୍ମାଣ କରୁଥିବାର ଦେଖିବକୁ ମିଳିଛି ନିର୍ମାଣ ହେଉଥିବା ରାସ୍ତାଟି ହେଉଛି ବେତନଟୀ ବଡ଼ସାହି ରାସ୍ତାର ମହୁଲିଆ ଗ୍ରାମ ସିମା ରେ ଥିବା ସରପଞ୍ଚଙ୍କ ଘର ନିକଟରେ ଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଛି ଏହି ରାସ୍ତା ଟି ସାଧାରଣ ଜନତାଙ୍କଘର ବା ବସ୍ତିକୁ ସଂଯୋଗ କରୁନାହିଁ। ଏହି ରାସ୍ତା ବେତନଟୀ ଗ୍ରାମ ପଞ୍ଚାୟତ ଅଞ୍ଚଳର କେଉଁ ଲୋକଙ୍କ ସ୍ୱାର୍ଥ ସାଧନ କରୁଛି ବୋଲି ବେତନଟୀ ବାସି ପ୍ରଶ୍ନ କରିଛନ୍ତି। ଏହି ରାସ୍ତା କୁ ଲାଗି ବାରିପଦାର ଶ୍ରୀ ଶ୍ରୀ ରଘୁନାଥ ଜୀଉ ବିଜେଙ୍କର ଦେବୋତ୍ତର ଜମି ରହିଛି। ପୂର୍ବ ରୁ ବେତନଟୀ ରେ ଏହି ଦେବୋତ୍ତର ଜମି ବିକ୍ରି ହୋଇଥିବାର ନଜିର ରହିଛି। ସ୍ଥାନୀୟ ସରପଞ୍ଚ ଏହି ଦେବୋତ୍ତର ଜମି ବିକ୍ରି କରାଇଵାର ମନ୍ଦ ଉଦ୍ଦେଶ୍ୟ ରଖି ଯଦି ରାସ୍ତା ନିର୍ମାଣ କରୁ ଥାଆନ୍ତି ତେବେ ଆଗାମୀ ଦିନରେ ବେତନଟୀ ବାସି ଙ୍କ ପକ୍ଷରୁ ବିରୋଧ ଓ ଉଚ୍ଚ ଅଧିକାରି ନିକଟରେ ଲିଖିତ ଅଭିଯୋଗ ହେବବୋଲି ବୁଦ୍ଧି ଯିବି ମହଲ ରେ ଆଲୋଚିତ ହେଉଛି। ସୂଚନା ଯୋଗ୍ୟ ଦେବୋତ୍ତର ଜମି ଉପରେ କୌଣସି ବ୍ୟକ୍ତିଗତ ମାଲିକାନା ଦାବି କରାଯାଇପାରେ ନାହିଁ। ଏହା ଦେବାଳୟ କିମ୍ବା ଧାର୍ମିକ ଅନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ହୋଇଥାଏ ଏବଂ ଏହାକୁ ବିକ୍ରି କରିବା ଆଇନତଃ ମନା। କିନ୍ତୁ ବେତନଟୀ ସରପଞ୍ଚ ଏହି ଜମିକୁ ବିକ୍ରି କରିବା ପାଇଁ ଏକ ଚାଲାକ ରାସ୍ତା ଆପଣାଇଛନ୍ତି। ସେ ଏମ ଜି ଏନ୍ ଆର ଜି ଏ ଯୋଜନା ଅଧୀନରେ ଜନ ଶୂନ୍ୟ ସ୍ଥାନରେ କୌଣସି ଘର ନଥିବା ଯାଗାରେ ତିନି ଲକ୍ଷ ଟଙ୍କା ବ୍ୟୟରେ ଏକ ରାସ୍ତା ନିର୍ମାଣ କରାଇ ଏହି ରାସ୍ତାକୁ ଦେବୋତ୍ତର ଜମି ସହ ଯୋଡି ଦେଇଛନ୍ତି ଏଥି ପାଇଁ ପାଖା ପାଖି ୧୫ ଟିରୁ ଉର୍ଦ୍ଧ ବହୁ ମୂଲ୍ୟ ଶାଳ ଗଛ ମଧ୍ୟ କାଟିଛନ୍ତି। ଯାହା ଫଳରେ ଏହି ଜମିକୁ ଯାଆସ ସରଳ ଓ ସୁଗମ ହେବା ପରେ ଏହାକୁ ବ୍ୟବହାରିକ ଜମି ଭାବରେ ଦର୍ଶାଇ ବିକ୍ରି କରିବେ । ଏହା ଏକ ପ୍ରକାରର ‘ଢାଲ’ କିମ୍ବା ଆଇନଗତ ବଳୟ ସୃଷ୍ଟି କରିବାର ପ୍ରୟାସ ବୋଲି ଅଭିଯୋଗକାରୀମାନେ କହୁଛନ୍ତି। ସେମାନଙ୍କ ମତରେ ଦେବୋତ୍ତର ଜମିକୁ ସେଥିରେ ଥିବା ଶାଳ ଗଛ କାଟି ଏଭଳି ଭାବେ ବିକ୍ରି କରିବା ଧାର୍ମିକ ଭାବନାକୁ ଆଘାତ ଦେଉଛି ଓ ପରିବେଶ ନଷ୍ଟ କରୁଛି। ଏମ ଜି ଏନ୍ ଆର ଜି ଏ ଭଳି ଗରିବ ଓ ଶ୍ରମିକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ବ୍ୟକ୍ତିଗତ ଲାଭ ପାଇଁ ଦୁରୁପଯୋଗ କରାଯିବା ଓ ମୟୂରଭଞ୍ଜ ଗୋଟିଏ ଜୈବମଣ୍ଡଳ ଏଠି ମୂଲ୍ୟବାନ ଶାଳ ଗଛ କାଟିବା ସମ୍ପୂର୍ଣ୍ଣ ଅନୁଚିତ ବୋଲି ସେମାନେ ମତ ଦେଇଛନ୍ତି।ଦେବୋତ୍ତର ଜମି ଓଡ଼ିଶା ଦେବୋତ୍ତର ସମ୍ପତ୍ତି ଆଇନ ଅଧୀନରେ ସୁରକ୍ଷିତ ରହିଥାଏ। ଏହାକୁ ବିକ୍ରି କରିବା କିମ୍ବା ହସ୍ତାନ୍ତର କରିବା ଦଣ୍ଡନୀୟ ଅପରାଧ। ସେହିପରି ଏମ ଜି ଏନ୍ ଆର ଜି ଏ ଅଧୀନରେ କାର୍ଯ୍ୟ ଅନୁମୋଦନ ଓ ନିର୍ମାଣରେ ଅନିୟମିତତା ହେଲେ ଏହା ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ହୋଇପାରେ। ଏଭଳି ଅଭିଯୋଗ ପ୍ରମାଣିତ ହେଲେ ସରପଞ୍ଚଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି। ଏଭଳି ଅଭିଯୋଗଗୁଡ଼ିକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ତୁରନ୍ତ ତଦନ୍ତ ଆରମ୍ଭ କରିବା ଉଚିତ୍। ଏହାକୁ କେବଳ ଏକ ବ୍ୟକ୍ତିଗତ ଦୁର୍ନୀତି ନୁହେଁ ବରଂ ଗ୍ରାମୀଣ ଅଞ୍ଚଳରେ ଡବଲ ଇଞ୍ଜିନ ସରକାର ପ୍ରତି ବିଶ୍ୱାସ ହ୍ରାସ ଘଟାଇବାର ଏକ ଗଭିର ପ୍ରୟାସ ଭାବରେ ଦେଖାଯିବ। ଏହା ସହ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଏମ ଜି ଏନ୍ ଆର ଜି ଏ କାର୍ଯ୍ୟର ସ୍ପଷ୍ଟ ନିୟମ ଓ ସାମାଜିକ ନିରୀକ୍ଷଣ ବ୍ୟବସ୍ଥା ଆହୁରି କଡ଼ା କରାଯିବା ଆବଶ୍ୟକ। ଏହି ଘଟଣା ଗ୍ରାମ ସ୍ତରରେ ନେତୃତ୍ୱ ଓ ଯୋଜନା ବ୍ୟବହାରରେ ସ୍ପଷ୍ଟତାର ଅଭାବକୁ ଉଜାଗର କରୁଛି। ସଚେତନତା ଓ ଦୃଢ଼ ପଦକ୍ଷେପ ଦ୍ୱାରା ହିଁ ଏଭଳି ଦୁର୍ନୀତିକୁ ରୋକାଯାଇପାରିବ ବୋଲି ବୁଦ୍ଧି ଯିବି ମାନେ ମତ ଦେଇଛନ୍ତି ।
