ପଞ୍ଚଭୁତରେ ମିଶିଗଲେ ଏରଡଙ୍ଗା ସରପଞ୍ଚ ଧର୍ମାନନ୍ଦ ସେଠୀ ।
ରଘୁନାଥପୁର(ନିପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡଙ୍ଗା ପଞ୍ଚାୟତର ସରପଞ୍ଚ ଧର୍ମାନନ୍ଦ ସେଠୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପଞ୍ଚାୟତବାସୀ ଜଣେ ସଚ୍ଚୋଟ, ନିର୍ଭୀକ ବ୍ୟକ୍ତିତ୍ଵଙ୍କୁ ହରାଇ ଏକ ପ୍ରକାର ମର୍ମାହତ ହୋଇପଡିଥିଲେ। ସବୁଦିନ ପରି ନିତ୍ୟକର୍ମ ସାରିବା ପାଇଁ ଗାଧୁଆଘରକୁ ଯିବାବେଳେ ହଠାତ ତାଙ୍କର ସେଠାରେ ଗୋଡ ଖସି ଯାଇଥିଲା। ଫଳରେ ସେ ତଳେ ପଡିଯାଇ ପଛ ପାର୍ଶ୍ଵ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଜଗତସିଂହପୁର ଜିଲ୍ଲା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଧର୍ମାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ପାଇ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବ୍ଲକ ଅଧକ୍ଷା ଲକ୍ଷ୍ମୀ ବେହେରା, ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ, ଜିଲ୍ଲାପରିଷଦ ସଭ୍ୟା, ବିଭିନ୍ନ ପଞ୍ଚାୟତର ବହୁ ସରପଞ୍ଚ ଓ ସମିତି ସଭ୍ୟ ମେଡ଼ିକାଲରେ ପହଞ୍ଚିଥିଲେ। ସେଠାରେ ପୋଷ୍ଟମଟମ ପରେ ମୃତଦେହକୁ ତାଙ୍କ ବାସଭବନକୁ ଅଣାଯାଇଥିଲା l ପଞ୍ଚାୟତବାସୀ ନାଲିବର ଛକରୁ ଧର୍ମାନନ୍ଦଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରି ଗ୍ରାମ୍ୟ ଶ୍ମଶାନରେ ପହଞ୍ଚିଥିଲେ।ସେଠାରେ ମୃତଦେହକୁ ସତ୍କାର କରାଯାଇଥିଲା ଓ ତାଙ୍କ ବଡପୁଅ ବିଶ୍ୱ ପ୍ରକାସ ମୁଖାଗ୍ନୀ ଦେଇଥିଲେ।
