ସୋରରେ ଶୋଇଛି ସୁମଙ୍ଗଳ ଯୋଜନା
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଆନ୍ତଃଜାତି ବିବାହ ଜାତି ପୂର୍ବାଗ୍ରହକୁ ହ୍ରାସ କରିବା, ‘ଅସ୍ପୃଶ୍ୟତା’ ଦୂର କରିବା ଏବଂ ସମାଜରେ ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱର ମୂଲ୍ୟ ବିସ୍ତାର କରିବା ପାଇଁ ସରକରଙ୍କ ପକ୍ଷରୁ ସୁମଙ୍ଗଳ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅଧିନରେ ସାମାଜିକ ସମନ୍ୱୟ ଏବଂ ଅସ୍ପୃଶ୍ୟତା ଦୂରୀକରଣ ପାଇଁ ଆନ୍ତଃଜାତି ବିବାହିତ ଦମ୍ପତିଙ୍କୁ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ମାତ୍ର ଅନେକ ସ୍ଥାନରେ ଏହି ଯୋଜନା ଏବେ ସୁପ୍ତ ଅବସ୍ଥାରେ ଥିବା ଜଣାପଡିଛି। ତିନି ବର୍ଷରୁ ଅଧିକ ଦିନ ଧରି ଆବେଦନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିନଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକରୁ। ଅଭିଯୋଗ ଅନୁସାରେ ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମୃତ୍ୟୁଞ୍ଜୟ ରାଉତ ଗତ ୨୦୨୨ ମସିହାରେ ଉକ୍ତ ଗ୍ରାମର ଦିପାଞ୍ଜଳୀ ଜେନାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଏହି ଯୋଜନା ବାବାଦରେ ଜାଣିପାରି ଗତ ୨୦୨୩ ମସିହା ଫେବୃଆରୀ ମାସରେ ସୋର ବ୍ଲକରେ ଆବେଦନ କରିଥିଲେ। ଆବେଦନକୁ ତିନି ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ପ୍ରୋତ୍ସାହନ ରାଶି ମିଳିପାରିନଥିବା ସେ ଅଭିଯୋଗ କରିଛନ୍ତି। କେବଳ ମୃତ୍ୟୁଞ୍ଜୟ ନୁହନ୍ତି ସମାନ ଭାବେ ସୋର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଲୋକ ଏହି ଯୋଜନାରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଉକ୍ତ ପ୍ରୋତ୍ସାହନ ରାଶି ମିଳିପାରିନଥିବା ଜଣାପଡିଛି। ମିଳିଥିବା ସରକାରୀ ତଥ୍ୟ ଅନୁସାରେ ଗତ ୨୦୨୧ରୁ ଆଜି ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ଅନେକ ଲୋକ ଏହି ଯୋଜନାରେ ଆବେଦନ କରିଥିବା ବେଳେ ମାତ୍ର ୧୦୮ ଜଣଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିଛି। ଆବେଦନ କାରୀମାନେ ଦିର୍ଘବର୍ଷ ଧରି ସୁବିଧାରୁ ବଞ୍ଝିତ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ମିଳୁଥିବା ଏହି ଯୋଜନାକୁ ଅସାଧୁ ଅଧିକାରୀମାନେ ଲାଞ୍ଚ ଆଳରେ ଅଟକାଇ ରଖୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସୋର ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶୁଶ୍ରୀ ପାତ୍ରଙ୍କୁ ପଚାରିବାରୁ କିଛି ଦିନ ହେବ ଅନଲାଇନ୍ ସାଇଟ୍ ଅସୁବିଧା ଥିବାରୁ ଆଗାମୀ ଦିନରେ ପଞ୍ଚାୟତ ୱାରି ସର୍ଭେ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
