ବରଗଡ ଭାରତ ବନ୍ଦର ପ୍ରଭାବ ବରଗଡ :୧୨/୦୨(ନି, ପ୍ର) ଶ୍ରମିକ ବିରୋଧୀ ଶ୍ରମକୋଡ଼ ବାତିଲ ଦାବି, ଜି ରାମଜୀ ଜି ଆଇନ ପ୍ରତ୍ୟାହାର କରି ମନରେଗା ଲାଗୁ କରିବା, ଜନ ବିରୋଧୀ ବିଦ୍ୟୁତ ବିଲ ସଂଶୋଧନ ପ୍ରତ୍ୟାହାର, କୃଷକ ବିରୋଧୀ ବିଳ ବାତିଲ, ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇ କରଣ ତଥା ଅନ୍ୟାନ୍ୟ ଜନବିରୋଧ ନୀତିକୁ ବିରୋଧ କରି ଆଜିର ଭାରତ ବନ୍ଦ ଡାକରାର ପ୍ରଭାବ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଅନୁଭୂତ ହୋଇଛି l ଦଶଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ ଅନ୍ୟାନ୍ୟସଂଗଠନ ମାନଙ୍କ ମିଳିତ ତତ୍ୱାବଧାନରେ ବରଗଡ଼ ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ମୟ ସମିତିର ଆବାହନ ଯୋଗୁଁ ଆଜି ବରଗଡ଼ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ,ବୀମା, ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଚକ, ଅଖ ଓ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ଥିଲା l ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି ବନ୍ଦ କୁ ପାଲନ କରି ଥିଲେ l କେନ୍ଦ୍ରସରକାରଙ୍କ ଜନବିରୋଧୀ ନୀତି ଦ୍ୱାରା ଅତିଷ୍ଠ ସାଧାରଣ ଜନତାଙ୍କ ମଧ୍ୟ ଏହି ବନ୍ଦରେ ପ୍ରବଳ ସମର୍ଥନ ଦେଖିବାକୁ ମିଳିଥିଲା l ବରଗଡ଼ ଜିଲ୍ଲା ଶ୍ରମିକ ସମନ୍ମୟ କମିଟୀର ଅବାହକା ଶ୍ରୀଯୁକ୍ତ ବ୍ରହ୍ମା ମହାକୁର ଏହି ଧର୍ମଘଟର ସଫଳ ରୂପାୟନ ପାଇଁ ବରଗଡ଼ର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ସଂଗଠନ ଓ ଅନୁଷ୍ଠାନ ତଥା କର୍ମକର୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ଆଗାମୀ ଦିନରେ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଲଢେଇ ପାଇଁ ଆବଶ୍ୟକ ସହଯୋଗ କାମନା କରିଛନ୍ତି l
