ଟ୍ରଲର କୁ ଧକ୍କା ଦେଲା ଆଇଚର: ୪ ଗୁରୁତର।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ଷୋହଳ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ପିଛା ଛାଡୁନି ଦୁର୍ଘଟଣା। ଗତ ଦୁଇଦିନ ତଳେ ମୟୂର ହୋଟେଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଗତକାଲି ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଟ୍ରଲର ପଛରୁ ଏକ ଆଇଚର ଟ୍ରକ ଧକା ଦେବା ଫଳରେ ଚାରି ଜଣ ଗୁରୁତ୍ତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜେଏଚ ୦୧ ଏଫଆର ୦୧୨୧ ନମ୍ବର ବିଶିଷ୍ଟ ଏକ ଆଇଚର ଟ୍ରକ ଘରୋଇ ସାମଗ୍ରୀ ଲୋଡ଼ କରି ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ତଳନଗର ନିକଟରେ ଆଗରେ ଯାଉଥିବା ଏକ ଟ୍ରଲର ପଛରୁ ଧକା ଦେଇଥିଲା। ଫଳରେ ଟ୍ରକ ମଧ୍ୟରେ ଥିବା ଚାରି ଜଣ ଯାତ୍ରୀ ଗୁରୁତ୍ତର ଆହତ ହୋଇ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିଲେ।ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୁଲିସ ଏବଂ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଡା ଦମକଳ ବାହିନୀ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ସୁକାନ୍ତ କୁମାର ସାହୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଆହତ ବ୍ୟକ୍ତି ମାନେ ହେଲେ ବିହାର ପାଟଣା ଅଞ୍ଚଳର ସଞ୍ଜୟ ଯାଦବ,ଅନିଲ ଯାଦବ, ପଙ୍କଜ ଯାଦବଏବଂ ରାକେଶ ଯାଦବ ବୋଲି ଜଣାପଡିଛି।
