*ନୂଆପଡାରେ ଜାତୀୟ ଜନଗଣନା–୨୦୨୭ ପାଇଁ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
ତା-୦୩/୦୨:
ନୂଆପଡା ଜିଲ୍ଲାରେ ଜାତୀୟ ଜନଗଣନା–୨୦୨୭ ର ସଫଳ ରୂପାୟନ ପାଇଁ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ଏବଂ ନୂଆପଡା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତାଲିମ କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ଯୁଗ୍ମ ନିର୍ଦେଶକ ଡଃ ଅଭୟ ନାରାୟଣ ନାୟକ ସଂପୃକ୍ତ ଅଧିକାରୀମାନଙ୍କୁ ଜନଗଣନାର ପ୍ରକ୍ରିୟା, ଡିଜିଟାଲ ଉପକରଣ, ଗୃହତାଲିକା ବ୍ଲକ (HLB) ଗଠନ ଏବଂ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଏହି ଜନଗଣନା ଭାରତର ୧୬ତମ ଜନଗଣନା ଏବଂ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ। ଏହା ଦୁଇଟି ପର୍ଯ୍ୟାୟରେ ସଂପନ୍ନ ହେବ। ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନାସବୁ (Houselisting & Housing Census) ୨୦୨୬ ଏପ୍ରିଲ ୧୬ ତାରିଖରୁ ୧୫ ମଇ ପର୍ଯ୍ୟନ୍ତ ହେବ। ଏହା ପୂର୍ବରୁ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜଣସାଧାରଣଙ୍କ ପାଇଁ ସ୍ୱ-ଗଣନା (Self Enumeration) ସୁବିଧା ଉପଲବ୍ଧ ରହିବ, ଯାହା ମାଧ୍ୟମରେ ନାଗରିକମାନେ ନିଜ ତଥ୍ୟ ଅନଲାଇନ ୱେବସାଇଟ ଜରିଆରେ ପ୍ରଦାନ କରିପାରିବେ।
ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା (Population Enumeration) ୨୦୨୭ ଫେବୃଆରୀ ୯ ରୁ ୨୮ ପର୍ଯ୍ୟନ୍ତ ହେବ ଏବଂ ୧ ରୁ ୫ ମାର୍ଚ୍ଚ, ୨୦୨୭ ମଧ୍ୟରେ ପୁନର୍ବୀକ୍ଷଣ (Revisional Round) କରାଯିବ। ମାର୍ଚ୍ଚ ୧, ୨୦୨୭ ରାତି ୧୨ଟାକୁ ଆଧାର ମୁହୂର୍ତ୍ତ (Reference Moment) ଭାବେ ଗ୍ରହଣ କରାଯିବ।
ଏହି ଜନଗଣନା ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରଣାଳୀରେ କରାଯିବ। Census Management & Monitoring System (CMMS) ଓ ମୋବାଇଲ ଆପ୍ ମାଧ୍ୟମରେ ଗଣନାକାରୀମାନେ ଘର ଘର ଯାଇ ତଥ୍ୟ ସଂଗ୍ରହ କରିବେ। ଏହା ଦ୍ୱାରା ତଥ୍ୟର ସଠିକତା, ସ୍ପଷ୍ଟତା ଓ ଦ୍ରୁତ ମନିଟରିଂ ସୁନିଶ୍ଚିତ ହେବ।
ଜିଲ୍ଲା ଭାରପ୍ରାପ୍ତ ପରିସଂଖ୍ୟାନ ଅଧିକାରୀ ସୁଧାଂଶୁ ପାଠକ ତାଲିମ ପ୍ରଦାନରେ ସହଯୋଗ କରିଥିଲେ।ଏହି ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ସମସ୍ତ ତହସିଲଦାର, ତିନି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ , ଆସିଷ୍ଟାଣ୍ଟ କଲେକ୍ଟର ବିଜୟ କୁମାର ଛତ୍ରିଆ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏନ୍ ଆଇ ସି ଡି ଆଇ ଓ ବିନୟ ତିୱାରୀ, ସଂପୃକ୍ତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ମଧୁସୂଦନ ଦାଶ କହିଲେ ଯେ, ଜନଗଣନା ଏକ ମହତ୍ତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ। ଜିଲ୍ଲା ତଥା ଦେଶର ବିକାଶରେ ଏହି ସୂଚନା ସବୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ନୂଆପଡା ଜିଲ୍ଲାବାସୀଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଜନଗଣନା ସମୟରେ ଗଣନାକାରୀ ଓ ସୁପରଭାଇଜରମାନଙ୍କୁ ଜନ ସାଧାରଣ ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ଯାହା ଦ୍ୱାରା ଜିଲ୍ଲାର ଜନଗଣନା ସଠିକ ଓ ନିର୍ଭୁଲ ଭାବେ ସମ୍ପନ୍ନ ହୋଇପାରିବ।
