ବହୁଚର୍ଚ୍ଚିତ ରାଜେଶ ହତ୍ୟା କାଣ୍ଡର ଅଭିଯୁକ୍ତ ଗିରଫ
ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଓ ସାଆନ୍ଦା ଫାଣ୍ଡି ଅଧିନରେ ଥିବା ସାଆନ୍ଦା ଗ୍ରାମର ଫଟୋଗ୍ରାଫର ରାଜେଶ ପାଣିଙ୍କୁ ଗତ ନଭେମ୍ବର ୨୦୨୫ ୧୪ ତାରିଖ ଦିନ ସୁପାରି କିଲର ଓ ଅନ୍ୟ ସହଯୋଗୀ ମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଏଥି ନେଇ କାମାକ୍ଷାନଗର ଥାନାରେ ରାଜେଶ ପାଣିଙ୍କ ଶଳା ଅରିଜିତ୍ ପଣ୍ଡାଙ୍କ ଲିଖିତ ଅଭିଯୋଗରେ ହତ୍ୟା ମାମଲା ରୁଜୁ କରାଯାଇ ବିଭିନ୍ନ ଥାନାର ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ଏଥିନେଇ ପରିବାରଙ୍କ ପକ୍ଷରୁ ଏସ୍ପିଙ୍କ ନିକଟରେ ନ୍ୟାୟ ପାଇଁ ଦାବୀ କରି ଆସୁଥିଲେ । ରାଜେଶଙ୍କର ବଡ଼ଭାଇ ସୈନ୍ୟ ବିଭାଗର ଅଧିକାରୀ ଭାବେ କାର୍ଯ୍ୟକରୁଥିବା ବେଳେ ଭାଇର ହତ୍ୟାକାରୀକୁ ଗିରଫ କରିବା ପାଇଁ ତାଙ୍କର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ । ଏଥିନେଇ ଢେଙ୍କାନାଳ ଏସ୍.ପି ଅଭିନବ ସୋନକରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାମାକ୍ଷାନଗର ଆରକ୍ଷୀ ଅଧିକାରୀ ରଜନୀକାନ୍ତ ସାମଲ, ପରଜଙ୍ଗ ଥାନା ଅଧିକାରୀ ଧିରେନ୍ ବେହେରା, କାମାକ୍ଷାନଗର ଏସ୍ ଆଇ ଜିତେନ୍ଦ୍ର ମହାନ୍ତି ,ଭୁବନ ଥାନା ଏସ୍ ଆଇ ଶାନ୍ତନୁ ସାହୁ , ପରଜଙ୍ଗ ଏସ୍ଆଇ ସୌମ୍ୟ ରଞ୍ଜନ ମାହାନ୍ତି, ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଥାନା ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସେଠୀ ପ୍ରମୁଖ ଅଭିଯୁକ୍ତକୁ ଧରିବା ପାଇଁ ଅଢେଇ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ଚଢାଉ କରିଥିଲେ । ଅଭିଯୁକ୍ତ ମାନେ ନମ୍ବର ବିହୀନ ସିମକାର୍ଡ ବ୍ୟବହାର କରି ହ୍ବାଟ୍ ସପ୍ ମାଧ୍ୟମରେ ମେସେଜ୍ ଦେଇ କଥାବାର୍ତ୍ତା ହେଉଥିବାରୁ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେଉଥିବା ପୋଲିସ୍ ସୂଚନା ଦେଇଛି । ସେମାନେ ରାଜେଶକୁ ହତ୍ୟା କରିବା ପୂର୍ବରୁ ମୁକ୍ତାପଶି ଗ୍ରାମ ମହୋତ୍ସବ ଖନ୍ଦା ପୋଖରୀ ନିକଟରେ ଥିବା ଏକ ମଣ୍ଡପ ଉପରେ ପ୍ରଥମେ ଥଣ୍ଡା ସହିତ ନିଶ୍ଚେତକ ବଟିକା ଦେଇଥିଲେ । କିଛି ସମୟ ପରେ ରାଜେଶ ଚେତାଶୂନ୍ୟ ହୋଇଯିବା ପରେ ଦେହର ବିଭିନ୍ନ ସ୍ଥାନରେ ଶକ୍ତ ପ୍ରହାର କରିବା ଦ୍ୱାରା ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ସାଇଣ୍ଟିଫ ଟିମ୍ ସୂଚନା ଦେଇଛନ୍ତି । ଘଟଣା ପରେ ତାଙ୍କର ସୁନାଚେନ , କ୍ୟାମେରା ଓ ସିଷ୍ଟମ ନେଇ ଯାଇଥିବା ବେଳେ ରାଜେଶକୁ ପାଣିରେ ଫିଙ୍ଗିବା ସହ ବ୍ୟବହୃତ ମୋବାଇଲକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି । ଏହି ଦୁର୍ଦ୍ଦାନ୍ତ ଅପରାଧି ଭୁବନେଶ୍ୱରରୁ ଶୁକ୍ରବାର ରାତିରେ ଗିରଫ କରିବା ପରେ କାମାକ୍ଷାନଗର ଓ ପରଜଙ୍ଗ ଥାନା ମଧ୍ୟରେ ଉତ୍ପାତ କରିବାରୁ ତାକୁ ୩୧ ତାରିଖ ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି । ତାକୁ ପୁନର୍ବାର ୪ ଦିନିଆ ରିମାଣ୍ଡରେ ଆଣି କରିଥିବା ଘଟଣାର ସିନ୍ ରିକ୍ରିଏସନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
