ନାରଜିପୁଟରେ ପକ୍କା ରାସ୍ତା କେବେ ନିର୍ମାଣ ହେବ
କୋରାପୁଟ ବ୍ଲକ ଅନ୍ତର୍ଗତ ଲଙ୍କାପୁଟ ପଞ୍ଚାୟତରେ ରହିଛି ନାରଜିପୁଟ ଗ୍ରାମ।ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ହୋଇ ନ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସିମଳା ଛକରୁ ନାରଜିପୁଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ମାନେ ବାରମ୍ବାର ଦାବି କରିବା ସତ୍ବେ ରାସ୍ତା ନିର୍ମାଣ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ରାସ୍ତା ନିର୍ମାଣ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ବ୍ୟବସ୍ଥା କରାଯାଇଥିଲା।କିନ୍ତୁ ଗ୍ରାମବାସୀ ଏହି ଯୋଜନାରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁ ନଥିବାରୁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ହୋଇପାରି ନାହିଁ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧବ ବାଙ୍କିଆ କହିଛନ୍ତି। ଏପରିକି ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ବିନିଯୋଗ କରି ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଖସଡ଼ା ବ୍ଲକ ପ୍ରଶାସନକୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି।ଅର୍ଥ ମଞ୍ଜୁର ହୋଇ ଆସିଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ନୂତନ ଯୋଜନା ରହିଛି।ଗ୍ରାମସଭାରେ ଉକ୍ତ ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ କରିବାକୁ ଦାବି ହେଉଛି।ଜିଲ୍ଲା ପ୍ରଶାସନ ତୁରନ୍ତ ଉକ୍ତ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
