*ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ଭୋଜପୁର ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ l ନୂତନ ବର୍ତ୍ତନ ବ୍ୟାଙ୍କ୍ ଉଦ୍ଘାଟିତ ହେଲା l*
ନୂଆପଡା(ମିଖାଏଲ ନନ୍ଦ)
,ତା – ୧୯/୦୧
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଭୋଜପୁର ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଖଡିଆଳ, ଅଜିଜ ଖାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସି ଡି ଏମ୍ ଓ ଡଃ ଦ୍ବାରିକାନାଥ ଶତପଥୀ,ବିଡ଼ିଓ ମିଲନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଡବା, ସ୍ଥାନୀୟ ସରପଞ୍ଚ କୁଳମଣି ନାୟକ ପ୍ରମୁଖ ଯୋଗ ଦେଇଥିଲେ l ଏହି ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ସମାରୋହରେ ଜିଲ୍ଲାପାଳ ଶିଶୁ କନ୍ୟାକୁ ଆଶିର୍ବାଦ ସହିତ ଉପହାର ପ୍ରଦାନ କରି ଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଛଅ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ଏହାପରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ଯା ଦୂର କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲାl ବିଡ଼ିଓ ମିଲନ ଝାଙ୍କର ସ୍ବାଗତ ସମ୍ଭାଷଣ ଦେଇଥିଲେ l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଜନ ସାଧାରଣଙ୍କୁ ନିଜ ନିଜ ବିଭାଗର ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ପ୍ରବାସୀ ଶ୍ରମିକ ପ୍ରଥାର ଅପକାରୀତା ଓ ଏହାକୁ କିଭଳି ଭାବେ ନିରାକରଣ କରାଯାଇ ପାରିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l ଏହା ସହିତ ନୂଆପଡ଼ା ଥରେମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଏସବୁର ବ୍ୟବହାର ନ କରିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା l ଏହା ସହିତ ବିବାହ ତଥା ପର୍ବ ପର୍ବାଣୀରେ ପ୍ଲାଷ୍ଟିକ ଖଲି ଦନା ଗ୍ଲାସ୍ ଇତ୍ୟାଦିର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏକ ବର୍ତ୍ତନ ବ୍ୟାଙ୍କ୍ ର ଉଦ୍ଘାଟନ କରିଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ l ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l ସଭାରେ ଶ୍ରେଷ୍ଠ ଶ୍ରୋତା, ସଫେଇ କର୍ମଚାରୀ, ମନରେଗା ଯୋଜନାରେ ଅଧିକ ଦିନ କାମ କରିଥିବା ଶ୍ରମିକ, ଶ୍ରେଷ୍ଠ ଛାତ୍ରୀ, ଖେଳାଳୀ ,କଳାକାର ଇତ୍ୟାଦି ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ସାମ୍ବାଦିକ ତଥା କଳାକାର କୁନାଲ ଚରଣ ବେହେରା, ଚନ୍ଦ୍ରଶେଖର ବେହେରା ଓ ସାଥୀ ପରିବେଶ ସୁରକ୍ଷା ତଥା ପ୍ରବାସୀ ଶ୍ରମିକ ସଚେତନତା ପାଇଁ ପାଲା ପରିବେଷଣ କରିଥିଲେ l ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନେ ସୁନ୍ଦର ନୃତ୍ୟଗୀତ ପରିବେଷଣ କରିଥିଲେ l ଶେଷରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଜଳ ଯୋଗାଇ ଦେଇଥିଲେ l ଏହି ଶିବିରକୁ ଖଡିଆଳ ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର୍ ନମିତା ପାଢ଼ୀ , ଖଡିଆଳ ସିଡିପିଓ ଲତା ଦିଗାଲ , ସ୍ଥାନୀୟ ସରପଞ୍ଚ, ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ। ଶିବିର ପରେ ଜିଲ୍ଲାପାଳ ଝିତ୍ରିଧୋଡ଼ା ଗାଁକୁ ଯାଇ ଫେରନ୍ତା ପ୍ରବାସୀ ଶ୍ରମିକ,ତୁଳସୀରାମ ଭୋଇ ଓ ଶଙ୍କର ଲାଲ୍ ଭୋଇଙ୍କୁ ଭେଟିଥିଲେ l ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଗାଆଁ ରୁ ଆଉ କେହି ପ୍ରବାସୀ ଶ୍ରମିକ ହିସାବରେ ନ ଯିବା ପାଇଁ ପରାମର୍ଶ ଦେଇଥିଲେ l
