*ନୂଆପଡାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ।* *ଏବେ ସପ୍ତାହର ପ୍ରତିଦିନ “ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ “(ନୋ ହେଲମେଟ ନୋ ପେଟ୍ରୋଲ) l*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ଆଡିସନାଲ ଏସ୍ ପି ରଣଜିତ୍ ନାୟକ,ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ କ୍ଷମାନିଧୀ ଭୋଇ , ଡେପୁଟୀ କଲେକ୍ଟର ଶେଖ୍ ନସିମ,ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ରେଶମ ଲାଲ୍ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ଚାଲି ଯାଉଥିବା ଅମୂଲ୍ୟ ଜୀବନକୁ ଆମକୁ ବଞ୍ଚାଇବାକୁ ପଡ଼ିବ । ଏଥିପାଇଁ ଆମକୁ ସଚେତନ ହେବା ସହିତ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବା କୁ ପଡ଼ିବ l ବୈଠକରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଗଲା ଯେ ଆଗାମୀ ଦିନରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସହ ସପ୍ତାହର ପ୍ରତିଦିନ ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ ନୋ ପେଟ୍ରୋଲ) ଚେକିଂ କଡ଼ାକଡ଼ି କରାଯିବ । ଏହାକୁ ସମସ୍ତ ବିଡ଼ିଓ ତହସିଲଦାର ଓ ଆର୍ ଟି ଓ ତଦାରଖ କରିବେ। ନାବାଳକ ଏବଂ ମଦ୍ୟପ ଗାଡିଚାଳକମାନଙ୍କ ଉପରେ ବିଶେଷ ନଜର ରଖାଯିବ। ଆର୍ ଟି ଓ, ପୋଲିସ୍ ବିଭାଗ ଓ ଅବକାରୀ ବିଭାଗ ଅନେକ ସମୟରେ ମିଳିତ ଭାବରେ ଗାଡ଼ି ଚେକିଙ୍ଗ କରିବେ । ବିଜୁ ଏକ୍ସପ୍ରେସ ୱେ ରେ ଯେଉଁ ଜାଗା ମାନଙ୍କୁ ବେଶି ଦୁର୍ଘଟଣା ହେଉଛି ସେଇଠି ଜନ ସଚେତନତା ସୃଷ୍ଟି କରାଯିବା ସହିତ ସାଇନେଜ୍ ଲଗାଯିବ। ରାସ୍ତା କଡ ସ୍କୁଲ ମାନଙ୍କରେ ପିଲା ମାନଙ୍କୁ ବିଶେଷ ଭାବରେ ସଚେତନ କରାଯିବ । ରାସ୍ତାକଡ ମୁକୁଳା ଡ୍ରେନ ସବୁ ଅତିଶିଘ୍ର ବନ୍ଦ ବନ୍ଦ ହେବ l ଖଡିଆଳ ସହରରେ ଟ୍ରାଫିକ ସିଗ୍ନାଲ ଲାଗିବ l ସମୀକ୍ଷା ରୁ ଜଣାଗଲା ଯେ ୨୦୨୫ ବର୍ଷରେ ଅକ୍ଟୋବର ପର୍ଯ୍ୟନ୍ତ ୯୪ ଟି ଦୁର୍ଘଟଣା ରେ ୧୧୯ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ୬୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅକ୍ଟୋବର ମାସରେ ୨୪ ଜଣ ମଦ୍ୟପ ଡ୍ରାଇଭର ଏବଂ ୪୫୮ ଜଣ ବିନା ହେଲମେଟ ଚାଳକ ଙ୍କୁ ଫାଇନ ପଡ଼ିଛି l ୫ ଟି ଗାଡ଼ି ଜବତ କରା ଯାଇଛି l ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ସହିତ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ପଡିବ । ଏଥିରେ ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀ ସଂଗଠନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ମାନଙ୍କୁ ସାମିଲ ହେବେ l ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା ଏହି ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ବିଭାଗ ଦ୍ଵାରା ନିଆ ଯାଇଥିବା ସଚେତନତା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ l ଏହାପରେ ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ ଷ୍ଟାଣ୍ଡ ମାନଙ୍କ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ଆମ ବସ୍ ମାନଙ୍କ ନୂତନ ରୁଟ୍ ଚାର୍ଟ, ନୂଆପଡ଼ା ବସଷ୍ଟାଣ୍ଡ ରେ ଦିନ ଓ ରାତି ରେ ଚାଲୁଥିବା ସମସ୍ତ ବସ୍ ର ବାଧ୍ୟତାମୂଳକ ପ୍ରବେଶ, ଏଠାରେ ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡ ମୂତୟନ, ବେସରକାରୀ ବସ୍ ମାନଙ୍କ ଠାରୁ ପ୍ରବେଶ ଶୁଳ୍କ ଆଦାୟ, ବସ୍ ମାନଙ୍କରେ ସର୍ପ୍ରାଇଯ ଚେକିଂ, ଦୋକାନ ଗୃହ ପରିଚାଳନା, କେଣ୍ଟିନ୍ ଆରମ୍ଭ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଡିଓ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମଭିଆଇ ଉପେନ୍ଦ୍ର କୁମାର ପୁସିକା, ଟି ଏସ ଆଇ ପ୍ରଜ୍ଞା ପାରମିତା,ଏନ୍ ଏଚ୍ ଯନ୍ତ୍ରୀ ସପନ କୁମାର ବେହେରା , ନୂଆପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା, ଖରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା,ଖରିଆର ରୋଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳା ସନ ରଥ,ଡି ଟି ଏମ୍ ଆକାଶ ମହାପାତ୍ର, କଦମ୍ ରୁ ଯାଜ୍ଞସେନୀ ମହାପାତ୍ର, ସ୍ଵେଚ୍ଛାସେବୀ ବିଜୟ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।
