“ଅକାଳରେ ଝଡ଼ିଗଲା ଜ୍ଞାନର ବଉଳ: ୩୪ ବର୍ଷର ଯୁବ ଶିକ୍ଷକଙ୍କ ବିୟୋଗରେ ମର୍ମାହତ ସମଗ୍ର ଶିକ୍ଷା ଜଗତ ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀ।”
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଅକାଳରେ ଝଡ଼ିଗଲା ଜ୍ଞାନର ବଉଳ। ଛାତ୍ର ଛାତ୍ରୀ ତଥା ନିଜ ସହକର୍ମୀଙ୍କୁ ଶୋକ ସାଗରରେ ଭସାଇ ଲିଭିଗଲା ୩୪ ବର୍ଷିୟ ଯୁବ ଶିକ୍ଷକ ଙ୍କ ଜୀବନ ଦ୍ଵିପ। ଗତ କାଲିର ସକାଳ ମଙ୍ଗଳପୁର ଅଞ୍ଚଳ ପାଇଁ ଏକ କଳା ବାଦଲର ଛାୟା ଆଣିଦେଇଥିଲା। କେହି କେବେ ଭାବି ନଥିଲେ ଯେଉଁ ମଣିଷଟି ସବୁବେଳେ ପିଲାଙ୍କ ଗହଣରେ ହସଖୁସିରେ ସମୟ ବିତାଉଥିଲେ, ସିଏ ଏତେ ଶୀଘ୍ର ସମସ୍ତଙ୍କୁ ଛାଡି ଚାଲିଯିବେ। ସୋର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ନୂଆପାଟଣା ଗାଁର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ତଥା ଯୁବ ଶିକ୍ଷକ ଅଜିତ କୁମାର ଦାସ (୩୪ ବର୍ଷ)ଙ୍କର ଅକାଳ ବିୟୋଗ ଘଟିଛି। ମାତ୍ର ୩୪ ବର୍ଷ ବୟସରେ ତାଙ୍କର ଏହି ଅକାଳ ବିଦାୟ କେବଳ ତାଙ୍କ ପରିବାରକୁ ବେସାହାରା କରିନାହିଁ, ବରଂ ଅଗଣିତ ଛାତ୍ରଛାତ୍ରୀଙ୍କଠାରୁ ଜଣେ ପ୍ରିୟ ‘ସାର୍’ଙ୍କୁ ଛଡ଼ାଇ ନେଇଛି। ଶ୍ରୀ ଦାସ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଭୋଳେଶ୍ୱର ଜନାର୍ଦ୍ଦନ ଉଚ୍ଚ ନୋଡାଲ ବିଦ୍ୟାପୀଠରେ ଶିକ୍ଷକତା କରୁଥିଲେ। ସେ କେବଳ ଜଣେ ଶିକ୍ଷକ ନଥିଲେ, ବରଂ ଥିଲେ ଛାତ୍ରଛାତ୍ରୀଙ୍କର ଜଣେ ଭଲ ସାଙ୍ଗ ଏବଂ ମାର୍ଗଦର୍ଶକ। ପିଲାମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଓ ଆନ୍ତରିକତା ପାଇଁ ସେ ଅଳ୍ପ ମ୍ସ ଦିନରେ ସମସ୍ତଙ୍କର ଅତି ଆପଣାର ହୋଇପାରିଥିଲେ। ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର। ଗତ ୨୦ ଦିନ ତଳେ ହଠାତ୍ ସେ ନିଜ ବାସଭବନ ନୂଆପାଟଣାରେ ଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ସମସ୍ତେ ଆଶା ବାନ୍ଧିଥିଲେ ଯେ ସେମାନଙ୍କ ପ୍ରିୟ ଅଜିତ ସାର୍ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ସ୍କୁଲକୁ ଫେରିବେ। ବିଦ୍ୟାଳୟର ଶ୍ରେଣୀଗୃହ ପୁଣି ତାଙ୍କ ହସକୌତୁକ ଓ ପାଠପଢ଼ାରେ ଚଳଚଞ୍ଚଳ ହୋଇଉଠିବ। କିନ୍ତୁ ସବୁ ପ୍ରାର୍ଥନା ଓ ଡାକ୍ତରୀ ଚିକିତ୍ସାକୁ ପଛରେ ପକାଇ ଆଜି କଟକରେ ତାଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଛି। ତାଙ୍କ ମୃତ୍ୟୁ ଖବର ଗାଁରେ ଓ ବିଦ୍ୟାଳୟରେ ପହଞ୍ଚିବା କ୍ଷଣି ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍କୁଲର ସହକର୍ମୀ, କର୍ମଚାରୀ ଓ ବିଶେଷ କରି ଛାତ୍ରଛାତ୍ରୀମାନେ ନିଜ ପ୍ରିୟ ଶିକ୍ଷକଙ୍କୁ ହରାଇ ଲୁହକୁ ଅଟକାଇ ପାରିନାହାନ୍ତି। ବିଦ୍ୟାଳୟ ପରିସରରେ ଏକ ଶୋକ ସଭା ଆୟୋଜନ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଅଜିତ ସାର୍ଙ୍କ ସେହି ହସ ହସ ମୁହଁ ଆଜି କେବଳ ସ୍ମୃତି ହୋଇ ରହିଯାଇଛି, କିନ୍ତୁ ତାଙ୍କର ଆଦର୍ଶ ଓ ଛାତ୍ରବତ୍ସଳ ଗୁଣ ସବୁଦିନ ପାଇଁ ଅଞ୍ଚଳବାସୀଙ୍କ ହୃଦୟରେ ଅମର ହୋଇ ରହିବ।
