୨୦୦୧ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଆବେଗଭରା ବନ୍ଧୁମିଳନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଅତୀତର ସ୍ମୃତି ସାଉଁଟିଲେ ପୁରାତନ ଛାତ୍ରଛାତ୍ରୀ । ସ୍କୁଲ ଜୀବନର ସେହି ସୁନେଲି ଅତୀତ ଆଉ ହଜିଲା ଦିନର ସ୍ମୃତିକୁ ପୁଣିଥରେ ମନେ ପକାଇବା ପାଇଁ ସତ୍ୟାନନ୍ଦ ହାଇସ୍କୁଲ ପରିସରରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ୨୦୦୧ ମସିହା ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀମାନେ ଦୀର୍ଘ ବର୍ଷ ପରେ ଏକାଠି ହୋଇ ନିଜ ନିଜ ଭିତରେ ଭାବ ବିନିମୟ କରିବା ସହ ସ୍କୁଲ ବେଳର ପୁରୁଣା କଥାକୁ ଉଜ୍ଜୀବିତ କରିଥିଲେ।
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଗୁରୁପୂଜନ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା। ଯେଉଁ ଗୁରୁଜୀ ଓ ଗୁରୁମାମାନେ ଦିନେ ହାତ ଧରି ପାଠ ପଢ଼ାଇଥିଲେ ଏବଂ ଜୀବନର ସଠିକ୍ ମାର୍ଗଦର୍ଶନ କରାଇଥିଲେ, ସେମାନଙ୍କୁ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶିକ୍ଷକମାନେ ମଧ୍ୟ ନିଜର ପୁରାତନ ଛାତ୍ରଛାତ୍ରୀଙ୍କୁ ପାଖରେ ପାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ମହାମିଳନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବାରେ ୨୦୦୧ ବ୍ୟାଚ୍ର ଅନେକ ସଦସ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଉତ୍କଳ ବନ୍ଧୁ ସାହୁ, କିଶୋର ଦ୍ୱିବେଦୀ, ବିଜୟ ବାରିକ, ମନୋରଞ୍ଜନ କମିଳା, ସରୋଜ କୁମାର ଭୂୟାଁ, ପ୍ରଦିପ ବିଶ୍ୱାଳ, ଅମର ପଟ୍ଟନାୟକ ଏବଂ ଅଞ୍ଜନ ରାଉତ ପ୍ରମୁଖ ଆଗଧାଡ଼ିରେ ରହି କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ତୁଲାଇଥିଲେ। ସେମାନଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ଯୋଗୁଁ ଉତ୍ସବଟି ବେଶ୍ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଥିଲା। ଶେଷରେ ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ କରିବା ସହ ଆଗାମୀ ଦିନରେ ଏହି ବନ୍ଧୁତ୍ୱର ଡୋରିକୁ ଆହୁରି ମଜବୁତ କରିବାକୁ ଏବଂ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଶପଥ ନେଇଥିଲେ। କାର୍ଯ୍ୟକ୍ରମଟି ଉପସ୍ଥିତ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ପାଲଟିଥିଲା।
