ପଞ୍ଚାୟତ ର ସୁରକ୍ଷା ପାଇଁ ଜିଲ୍ଲାପାଳ ଙ୍କୁ ଗୁହାରି କଲେ ସରପଞ୍ଚ ଲକ୍ଷ୍ମୀକାନ୍ତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବାଲେଶ୍ଵର ଜିଲ୍ଲା ସୋର ବ୍ଲକର ବିଭିନ୍ନ ପଞ୍ଚାୟତ ବାରମ୍ବାର ବନ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ, ଏହାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଚଳିତ ବର୍ଷାଋତୁରେ ବାରମ୍ବାର ଆସୁଥିବା ବନ୍ୟା ଯୋଗୁଁ ଅଞ୍ଚଳବାସୀ ଅହେତୁକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, ସୋର ବ୍ଲକର ତେଣ୍ଟେଇ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀକାନ୍ତ ମହାଳିକ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଅଞ୍ଚଳର ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଗୁହାରି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତେଣ୍ଟେଇ ପଞ୍ଚାୟତ ବାସୀଙ୍କ ଦୀର୍ଘଦିନର ସମସ୍ୟାକୁ ଦୃଷ୍ଟିରେ ରଖି ସରପଞ୍ଚ ଶ୍ରୀ ମହାଳିକ ମୁଖ୍ୟତଃ ତିନୋଟି ପ୍ରମୁଖ ଦାବି ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନ କରିଥିବା ବେଳେ ସେଇ ତିନୋଟି ଦାବି ଗୁଡ଼ିକ ହେଲା ବନ୍ୟା ଜଳ ନିଷ୍କାସନ ଓ ଯାତାୟାତକୁ ସୁଗମ କରିବା ପାଇଁ କନକେଇ ପୋଲ ଠାରେ ୨୦ ମିଟର ଲମ୍ବର ଏକ ନୂତନ ପୋଲ ନିର୍ମାଣ କରାଯାଉ। ଦ୍ଵିତୀୟ ରେ ବନ୍ୟାଜଳ ପ୍ରବାହ ଯୋଗୁଁ ତେଣ୍ଟେଇ ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ରାସ୍ତାଘାଟ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇ ଥିବାରୁ, ସେଗୁଡ଼ିକୁ ତୁରନ୍ତ ମରାମତି କରାଯିବା ସହ ତେଣ୍ଟେଇ ଠାରୁ ଗୁଡ୍ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ (ଆର୍.ଡି.) ବିଭାଗର ରାସ୍ତାକୁ ଶୀଘ୍ର ନିର୍ମାଣ କରାଗଲେ ଯାତାୟାତ ସମସ୍ୟା ଦୂର ହେବା ସହ ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରିବ ବୋଲି ଶ୍ରୀ ମଲ୍ଲିକ ଜିଲ୍ଲାପାଳଙ୍କୁ ଜଣାଇଥିଲେ।
ବାରମ୍ବାର ବନ୍ୟା ଆସିବା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବାରୁ ଜିଲ୍ଲାପାଳ ଏହି ସମସ୍ୟାଗୁଡ଼ିକୁ ଗମ୍ଭୀରତାର ସହ ବିଚାର କରିବେ ଏବଂ ତୁରନ୍ତ ତଥା ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବେ ବୋଲି ପଞ୍ଚାୟତ ବାସୀ ଆଶା ପୋଷଣ କରିଛନ୍ତି ।
