ସିଦ୍ଧେଶ୍ୱର ମହାବିଦ୍ୟାଳୟର ମାନ ସମ୍ମାନ ରକ୍ଷା ପାଇଁ ଦ୍ୱାରା ଛାତ୍ରଛାତ୍ରୀଙ୍କ ଦାବିପତ୍ର
ବସ୍ତା:(ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ଼ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟର ମାନ ସମ୍ମାନ ଓ ସୁନାମ ରକ୍ଷା କରିବା ସହ କଲେଜରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ଦାବିରେ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଏକ ଗଣ୍ଡଗୋଳ ଘଟଣା ଘଟିଥିଲା। ଏହି ଘଟଣା ପରେ କିଛି ଜୁନିଅର ଛାତ୍ର ସୋସିଆଲ ମିଡିଆରେ ଲାଇକ୍, ଫଲୋଅର୍ସ ଓ ଭ୍ୟୁସ୍ ପାଇବା ଉଦ୍ଦେଶ୍ୟରେ କଲେଜକୁ ବଦନାମ କରିବା ଭଳି ପୋଷ୍ଟ ଓ ଭିଡିଓ ପ୍ରସାରଣ କରୁଥିବା ନେଇ ଅଭିଯୋଗ ଉଠିଛି। ଏହାଦ୍ୱାରା ମହାବିଦ୍ୟାଳୟର ମାନ ସମ୍ମାନ ଓ ସୁନାମ କ୍ଷୁଣ୍ଣ ହେବା ସହ ଶିକ୍ଷାର ପରିବେଶ ମଧ୍ୟ ପ୍ରଭାବିତ ହେଉଥିବା ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଅଭିଭାବକ ଓ ନୂତନ ଭାବେ ନାମ ଲେଖାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଲେଜ ପ୍ରତି ଆସ୍ଥା ଓ ବିଶ୍ୱାସ ହ୍ରାସ ପାଇବାର ଆଶଙ୍କା ରହିଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଘଟଣାର ନିରପେକ୍ଷ ତଦନ୍ତ, ସୋସିଆଲ ମିଡିଆରେ ପ୍ରସାରିତ ପୋଷ୍ଟ ଓ ଭିଡିଓର ସତ୍ୟତା ଯାଞ୍ଚ ଏବଂ କଲେଜରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି। ତେବେ ମହାବିଦ୍ୟାଳୟର ଗାରିମା ଓ ସୁସ୍ଥ ଶିକ୍ଷା ପରିବେଶ ବଜାୟ ରଖିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଇଚାରା ଓ ସଦ୍ଭାବନା ରକ୍ଷା କରିବା ହିଁ ଏହି ଦାବିପତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।
