*ବିରେଶ୍ୱରପୁର ପଞ୍ଚାୟତରେ ସରପଞ୍ଚ ଓ PEO ଙ୍କ ଲୁଟ୍ ତରାଜ! ଦୁଇ ଟ୍ରିପ୍ ମୁରୁମ ପକାଇ ହଜାର ହଜାର ଟଙ୍କା ହଡପ ଅଭିଯୋଗ*
*ବଡ଼ସାହି (ମୟୂରଭଞ୍ଜ) :* ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ବିରେଶ୍ୱରପୁର ଗ୍ରାମପଞ୍ଚାୟତରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଛି। ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (PEO) ମିଶି ସରକାରୀ ଅର୍ଥ ହଡ଼ପ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
*କ’ଣ ଅଭିଯୋଗ?*
ବିରେଶ୍ୱରପୁର ପଞ୍ଚାୟତ ଅଧୀନ ନୂଆସାହି ଛକ ଠାରୁ ଆମ୍ବଡାଳି ରାଜସ୍ୱ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏହି ରାସ୍ତା ଉପରେ ଆମ୍ବଡାଳି ଓ ନୂଆସାହି ଗ୍ରାମର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ପରିବାର ନିର୍ଭର କରନ୍ତି। ବର୍ଷା ଦିନେ ଏହି ରାସ୍ତା କାଦୁଅ ପଚପଚ ହୋଇଯାଏ।
ଗ୍ରାମବାସୀ ବାରମ୍ବାର ସରପଞ୍ଚ ଓ PEO ଙ୍କୁ ଅସୁବିଧା ସମ୍ପର୍କରେ ଜଣାଇବା ପରେ ସେମାନେ ଲୋକ ଦେଖାଣିଆ ଭାବେ ମାତ୍ର ଦୁଇ ଟ୍ରାକ୍ଟର ମୁରୁମ ବିଛାଇ ଦେଇ କହିଲେ, “ପଞ୍ଚାୟତ ଦ୍ୱାରା ଯେତିକି ସମ୍ଭବ ସେତିକି କରିଦେଲୁ।”
*ଉଠୁଛି ବଡ ପ୍ରଶ୍ନ*
ଏଠି ପ୍ରଶ୍ନ ଉଠୁଛି, ପଞ୍ଚାୟତ ତରଫରୁ ପକାଯାଇଥିବା ଦୁଇ ଟ୍ରିପ୍ ମୁରୁମ ପାଇଁ କେତେ ଟଙ୍କା ବ୍ୟୟ ଅଟକଳ ହୋଇଛି? କେଉଁ ଅନୁଦାନରୁ ଏହା କରାଯାଇଛି? ଏ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ, ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
କେବଳ ଏହି ରାସ୍ତା ନୁହେଁ, ଏହି ପଞ୍ଚାୟତ ଅଧୀନରେ ହେଉଥିବା ସମସ୍ତ Development ଓ MGNREGA କାମ ବିନା ସୂଚନା ଫଳକରେ ଅତି ନିମ୍ନମାନର କରାଯାଇ ସରପଞ୍ଚ ଓ PEO ନିଜ ପକେଟ ଗରମ କରିବାରେ ବ୍ୟସ୍ତ ଥିବା ଅଭିଯୋଗ ହୋଇଛି।
ତେଣୁ ବିରେଶ୍ୱରପୁର ଗ୍ରାମପଞ୍ଚାୟତର ସମସ୍ତ ସରକାରୀ କାର୍ଯ୍ୟର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ଦ୍ୱାରା ଗ୍ରାମବାସୀ ଉପକୃତ ହେବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କଡ଼ା ସବକ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି।
*ମୟୂରଭଞ୍ଜରୁ ମେନାଲି ସାହୁଙ୍କ ସହ ଶୁଭାଶିଷ ଚୌଧୁରୀଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
