ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ
ଉତ୍କୃଷ୍ଟ ପରିବେଶ-ସୁରକ୍ଷିତ ପୂଜା କମିଟିଗୁଡ଼ିକୁ କରାଯିବ ସମ୍ବର୍ଦ୍ଧିତ
୧୭ତମ ଜିଲ୍ଲାସ୍ତରୀୟ ପରିବେଶଗତ ତଦାରଖ କମିଟି ବୈଠକରେ ନିଷ୍ପତ୍ତି
ବରଗଡ଼, ୨୨/୦୯(ନି ପ୍ର ):ଆଗାମୀ ପର୍ବପର୍ବାଣୀକୁ ପରିବେଶ-ଅନୁକୂଳ ଓ ପ୍ରଦୂଷଣମୁକ୍ତ ଉପାୟରେ ପାଳନ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (SPCB), ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ପୂଜା କମିଟିକୁ ନିବେଦନ କରାଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୭ତମ ଜିଲ୍ଲାସ୍ତରୀୟ ପରିବେଶଗତ ତଦାରଖ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସାଂସ୍କୃତିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ପର୍ବପର୍ବାଣୀର ଦାୟିତ୍ୱପୂର୍ଣ୍ଣ ଓ ସ୍ଥାୟୀ ପାଳନକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।
ଏହି ପରିପ୍ରେକ୍ଷୀରେ, ପରିବେଶ ପ୍ରତି ଦାୟିତ୍ୱବାନ ହୋଇ ପ୍ରଦୂଷଣ ମୁକ୍ତ ପୂଜା ପଦ୍ଧତି ଆପଣାଉଥିବା ଉତ୍କୃଷ୍ଟ ପ୍ରଦର୍ଶନକାରୀ ପୂଜା କମିଟିଗୁଡ଼ିକୁ ଜିଲ୍ଲା ପ୍ରଶାସନ ଓ SPCB ପକ୍ଷରୁ ମିଳିତ ଭାବେ ସମ୍ବର୍ଦ୍ଧିତ କରାଯିବ।
ପ୍ରାକୃତିକ ମାଟି ଓ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ନିର୍ମାଣ, ପ୍ଲାଷ୍ଟିକ୍ ଓ ଥର୍ମୋକଲ୍ ବର୍ଜନ କରି ପରିବେଶ-ଅନୁକୂଳ ସାଜସଜ୍ଜା, ଡାକବାଜି ଯନ୍ତ୍ରର ନିୟନ୍ତ୍ରିତ ବ୍ୟବହାର ଏବଂ ପରିବେଶ-ସୁରକ୍ଷିତ ମୂର୍ତ୍ତି ବିସର୍ଜନ ପ୍ରକ୍ରିୟା ଆପଣାଇବା ଉପରେ ଆଧାର କରି ଏହି ଚୟନ କରାଯିବ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ SPCB ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (Addl. SP), ଆଞ୍ଚଳିକ ପରିବହନ ଅଧିକାରୀ (RTO), ସହକାରୀ ବନ ସଂରକ୍ଷକ (ACF), ଖଣି ବିଭାଗ, ବରଗଡ଼ ପୌରପାଳିକା ଏବଂ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।
