ଟିପିଏସ୍ଓଡିଏଲ୍ ପକ୍ଷରୁ ଛତ୍ରପୁରରେ ‘ସୋଲାର ରଥ’ର ଶୁଭାରମ୍ଭ
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୦,୬୬୫ଟି ସୌର ପ୍ୟାନେଲ୍ ସ୍ଥାପିତ
ଛତ୍ରପୁର, ତା. ୨୨/୦୯: ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ଏବଂ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ସଚେତନତା ରଥ’ର ଶୁଭାରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ମିଳିତ ଭାବେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ।
ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୩ ହଜାର ସୌର ପ୍ୟାନେଲ୍ ସ୍ଥାପିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୨୦,୬୬୫ଟି ସୌର ପ୍ୟାନେଲ୍ ସ୍ଥାପିତ ହୋଇଛି। ଏହି କ୍ଷେତ୍ରରେ ଗଞ୍ଜାମ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି। ସୌର ଶକ୍ତି ବ୍ୟବହାରକୁ ଅଧିକ ବ୍ୟାପକ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଘରକୁ ଘର ସଚେତନତା, ଗ୍ରାମପଞ୍ଚାୟତ ବୈଠକ, ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମ, ଷ୍ଟଲ୍ ଓ ବିକାଶ ମେଳା ଆଦି ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନିଆଯାଇଛି।
‘ସୋଲାର ସଚେତନତା ରଥ’ ମାଧ୍ୟମରେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ସରକାରୀ ସବସିଡି, ଆର୍ଥିକ ସହାୟତା ଏବଂ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁବିଧା ସମ୍ପର୍କରେ ଅଡିଓ ଜିଙ୍ଗଲ୍, ସୂଚନାପତ୍ର ଓ ବିଭିନ୍ନ ସଚେତନତା ସାମଗ୍ରୀ ମାଧ୍ୟମରେ ଲୋକଙ୍କୁ ସୂଚନା ଦିଆଯିବ। ଏଥିସହ ଗ୍ରାହକଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ଯୋଜନା ସମ୍ପର୍କିତ ସୂଚନା ଓ ସନ୍ଦେହର ସମାଧାନ କରାଯିବ।
ଏହି ଅବସରରେ ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଗର୍ଗ କହିଛନ୍ତି ଯେ, ‘ସୋଲାର ରଥ’ ମାଧ୍ୟମରେ ସୌର ଶକ୍ତି ଏବଂ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ସମ୍ପର୍କିତ ସୂଚନା ସରଳ ଓ ସିଧାସଳଖ ଭାବେ ଲୋକଙ୍କ ନିକଟରେ ପହଞ୍ଚିବ। ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଅଧିକ ପରିବାରଙ୍କୁ ସୌର ଶକ୍ତି ଆପଣାଇବା ପାଇଁ ସଚେତନ ଓ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ସଚେତନତା ରଥ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା—ଗଞ୍ଜାମ, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ—ପରିକ୍ରମା କରିବ। ଗ୍ରାମ, ଗ୍ରାମପଞ୍ଚାୟତ, ହାଟବଜାର ଓ ବିଭିନ୍ନ ଜନସମାଗମ ସ୍ଥଳ ସମେତ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ।
