ଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଓ କାର୍ଯ୍ୟ ନିର୍ବାହ ପନ୍ଥା ନେଇ ଆଲୋଚନାଚକ୍ର
ବେଲଗୁଣ୍ଠା:8/9/26-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ପକ୍ଷରୁ ଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ବିକାଶ, ବୃତ୍ତି ଚୟନ, ସୁରକ୍ଷା ଓ କାର୍ଯ୍ୟ ନିର୍ବାହ ପନ୍ଥା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ଛାତ୍ରୀ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ସିଡିପିଓ ନଳିନୀ ମହାରଣା ଯୋଗଦେଇ ଛାତ୍ରୀମାନେ ନିଜର ରୁଚି, ଦକ୍ଷତା ଓ ଯୋଗ୍ୟତାକୁ ଆଧାର କରି ଉପଯୁକ୍ତ ବୃତ୍ତି ଚୟନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆତ୍ମବିଶ୍ୱାସ, ଶୃଙ୍ଖଳା, ନିଷ୍ଠା ଓ ସକାରାତ୍ମକ ଚିନ୍ତାଧାରା ମାଧ୍ୟମରେ ଉତ୍ତମ ବ୍ୟକ୍ତିତ୍ୱର ବିକାଶ ସମ୍ଭବ ବୋଲି ସେ କହିଥିଲେ। ଶକ୍ତିଶ୍ରୀ ସଂଯୋଜିକା ପିଙ୍କି ପାତ୍ର ଛାତ୍ରୀମାନଙ୍କ ସୁରକ୍ଷା, ବୃତ୍ତି ଚୟନ ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଛାତ୍ରୀମାନଙ୍କୁ ବିଭିନ୍ନ ସାମାଜିକ ଓ ବୃତ୍ତିଗତ ପ୍ରସଙ୍ଗରେ ସଚେତନ କରିଥିଲେ। ଶେଷରେ ଧନ୍ୟବାଦ ଜ୍ଞାପନ ସହ ଆଲୋଚନାଚକ୍ରର ସମାପନ ହୋଇଥିଲା। ଛାତ୍ରୀମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଉପାଦେୟ ହେବ ବୋଲି ମତ ପ୍ରକାଶ ପାଇଥିଲା।
