ଗଣେଶ ପୂଜା ପାଇଁ ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ତାଳଚେର
ତାଳଚେର: ୭.୯.୨୬(ନିପ୍ର) ଭଞ୍ଜଦୂତ ଖବର କାଗଜ
ଗଣେଶ ପୂଜାକୁ ଆଉ ମାତ୍ର କେଇଟା ଦିନ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆଗମନ ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ସହର।
ସହରର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଗଲାଣି ସାଜସଜ୍ଜା କାର୍ଯ୍ୟ। କେଉଁଠି ବାଉଁଶ ଭିଡ଼ା ଚାଲିଛି, ତ ଆଉ କେଉଁଠି ଆରମ୍ଭ ହୋଇଛି ବିଶାଳ ତୋରଣ ଓ ଆକର୍ଷଣୀୟ ମଣ୍ଡପ ନିର୍ମାଣ। ଦିନରାତି ଏକ କରି ପୂଜା କମିଟିର ସଦସ୍ୟ ଓ କାରିଗରମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
ଚଳିତ ବର୍ଷ ମଧ୍ୟ ତାଳଚେରର ବିଭିନ୍ନ ସ୍ଥାନରେ ଗଣେଶ ପୂଜାକୁ ଧୁମ୍ଧାମରେ ପାଳନ କରିବା ପାଇଁ କମିଟିଗୁଡ଼ିକ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଥିମ୍ ଓ ଆକର୍ଷଣୀୟ ସାଜସଜ୍ଜା ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ପ୍ରୟାସ।
ଅନ୍ୟପଟେ ପୂଜା ସମୟରେ ଶାନ୍ତିଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ପ୍ରଶାସନ ଓ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଗଣେଶ ପୂଜା ଯେତିକି ପାଖେଇ ଆସୁଛି, ସେତିକି ବଢ଼ୁଛି ଲୋକଙ୍କ ଉତ୍ସାହ। ଆଲୋକମାଳା, ତୋରଣ ଓ ସୁନ୍ଦର ମଣ୍ଡପରେ ଖୁବଶୀଘ୍ର ନୂଆ ରୂପ ନେବ ତାଳଚେର ସହର।
ତେବେ ଏଥର ତାଳଚେରରେ କେଉଁ ପୂଜାମଣ୍ଡପ ହେବ ସବୁଠାରୁ ଆକର୍ଷଣର କେନ୍ଦ୍ର, ତାହା ଦେଖିବାକୁ ଏବେ ସମସ୍ତଙ୍କ ଅପେକ୍ଷା।
