ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ବ୍ରଜବିହାର ଶିଶୁ ମନ୍ଦିର ପରିସରରେ ‘୧୨୬ତମ ଶିକ୍ଷା ଚେତନା ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ବରିଷ୍ଠ ସମାଜସେବୀ ଇଂ. ପୁରୁଷୋତ୍ତମ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋର କ୍ଷେତ୍ରୀୟ ଅଧିକାରୀ ଖଗେଶ ବାଇପାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରାଜକୁମାର ସିଂ ଦେଓ, ଶିକ୍ଷାବିତ୍ ଜୟରାମ ସାହୁ, ସଂଗଠନର ସଭାପତି ବିରଜା ପ୍ରସାଦ ପଣ୍ଡା, ପ୍ରଶାନ୍ତ କୁମାର ମିଶ୍ର ଓ ସ୍କୁଲ କମିଟି ସଭାପତି ମନୋଜ କୁମାର ମୁଣ୍ଡ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ସ୍ତରରେ ଏଭଳି ସଚେତନତାମୂଳକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରୁଥିବାରୁ ଏହା ସ୍ୱାଗତଯୋଗ୍ୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଏହି ଅବସରରେ ଆୟୋଜିତ ପ୍ରଶ୍ନମଞ୍ଚରେ କଳାହାଣ୍ଡିର ଇତିହାସ, ଓଡ଼ିଶାର ସଂସ୍କୃତି, ପୁରାଣ, ଗଣିତ, ବିଜ୍ଞାନ, ସାଧାରଣ ଜ୍ଞାନ, ମହାପୁରୁଷଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମ ଆଦି ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନମଞ୍ଚରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ମାନିତ କରାଯିବା ସହ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଂଗଠନର ସମ୍ପାଦକ ଅବିନାଶ ମୁଣ୍ଡ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଶ୍ନମଞ୍ଚ ପରିଚାଳନା କରିଥିଲେ ପ୍ରମୋଦିନୀ ମହାରଣା।
ବିଚାରକ ଭାବେ ବିଶ୍ୱମୋହନ ରଥ ଓ ଗଣକ ଭାବେ ରାଜରାଜେଶ୍ୱରୀ ରଥ ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମକୁ ମେସର୍ସ ମନୋହରଲାଲ ଦେବୀ ପ୍ରସାଦ ଏବଂ ଇଂ. ଦିନେଶ ଜୈନ ଫାଉଣ୍ଡେସନ୍, ଭବାନୀପାଟଣା ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଥିଲା।
ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଗୁରୁଦିବସ ଅବସରରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା
