ଜନ୍ମାଷ୍ଟମୀ ଉତ୍ସବ ପାଳିତ।
ବ୍ରହ୍ମପୁର -ସ୍ଥାନୀୟ ଅରବିନ୍ଦ ନଗରସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଶୁକ୍ରବାର ଦିନ ଆଡମ୍ବରର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପଦେଷ୍ଟା ଡ. ସୁଦର୍ଶନ ସାହୁ, ଉପସଭାପତି ରଞ୍ଜନ କୁମାର ସାହୁ, ସହାୟିକା ଶିକ୍ଷୟିତ୍ରୀ ଶ୍ରୀମତୀ ରୋଜାଲିନ ପାଢ଼ୀ, ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା ଏବଂ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପଟ୍ଟନାୟକ ମଞ୍ଚାସୀନ ଥିଲେ।
ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶ୍ରୀକୃଷ୍ଣଙ୍କ ଜୀବନୀକୁ ଆଧାର କରି ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା। କୁନି କୁନି ଶିଶୁମାନେ ଶ୍ରୀକୃଷ୍ଣ ଓ ରାଧାଙ୍କ ବେଶରେ ସଜ୍ଜିତ ହୋଇ ଉତ୍ସବର ଶୋଭା ବଢ଼ାଇବା ସହ ଉପସ୍ଥିତ ସମସ୍ତଙ୍କ ମନ ମୋହିଥିଲେ।
ଏହି ଅବସରରେ ଅତିଥିମାନେ ଶିଶୁମାନଙ୍କୁ ଶ୍ରୀକୃଷ୍ଣଙ୍କ କଥାମୃତ, ଭଗବଦ୍ଗୀତାର ସାରତତ୍ତ୍ୱ ତଥା ଶ୍ରୀକୃଷ୍ଣଙ୍କ ଆଦର୍ଶ ଓ ଜୀବନାଦର୍ଶ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଶିଶୁମାନଙ୍କ ମନରେ ନୈତିକତା, ମାନବିକତା ଓ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ଗୁରୁଜୀ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଅଶ୍ୱିନୀ କୁମାର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ, ଗୁରୁଜୀ-ଗୁରୁମା ଓ ଅଭିଭାବକମାନଙ୍କ ଉପସ୍ଥିତିରେ ଉତ୍ସବଟି ଆନନ୍ଦମୟ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା।
