*ନୂଆପଡ଼ାରେ କୁଷ୍ଠରୋଗୀ ଚିହ୍ନଟ ପାଇଁ ଅଗଷ୍ଟ ୧୭ରୁ ପ୍ରଥମ ପର୍ଯ୍ୟାୟ ଏଲ୍ସିଡିସି ଅଭିଯାନ: କୌଣସି ରୋଗୀ ଯେପରି ବାଦ ନପଡ଼ନ୍ତି – ଜିଲ୍ଲାପାଳ*
ନୂଆପଡ଼ା,(ମିଖାଏଲ ନନ୍ଦ)
ତା. ୦୫/୦୮:
ଜାତୀୟ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟ କୁଷ୍ଠରୋଗ ଚିହ୍ନଟ ଅଭିଯାନ (ଲେପ୍ରୋସି କେସ୍ ଡିଟେକ୍ସନ କ୍ୟାମ୍ପେନ୍ ଏଲ୍ସିଡିସି) -୨୦୨୬ ଅନୁଷ୍ଠିତ ହେବ। ଏହି ଅଭିଯାନର ସଫଳ ରୂପାୟନ ପାଇଁ ଜିଲ୍ଲା ସମନ୍ୱୟ କମିଟିର ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।କୁଷ୍ଠରୋଗର ଲୁକ୍କାୟିତ ରୋଗୀଙ୍କୁ ଚିହ୍ନଟ କରି ସମୟୋପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ। କୌଣସି କୁଷ୍ଠରୋଗୀ ଯେପରି ଚିହ୍ନଟରୁ ବାଦ୍ ନପଡ଼ନ୍ତି, ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ ଜ଼ିଲ୍ଲାପାଳ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର, ଆଶାକର୍ମୀ ଓ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘରକୁ ଘର ବୁଲି ସଠିକ୍ ସର୍ଭେକ୍ଷଣ କରି ଲୁକ୍କାୟିତ ରୋଗୀଙ୍କୁ ଚିହ୍ନଟ, ଅନୁସରଣ ଓ ଚିକିତ୍ସା ସୁନିଶ୍ଚିତ କରିବା ସହ ଚିହ୍ନଟ ଓ ଚିକିତ୍ସା କ୍ଷେତ୍ରରେ ନୂଆପଡ଼ାକୁ ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ।ଅଭିଯାନ ସମୟରେ ଆଶାକର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ କୁଷ୍ଠରୋଗୀଙ୍କୁ ଚିହ୍ନଟ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରୋଗ ନିଶ୍ଚିତ କରିବା ସହ ଆବଶ୍ୟକ ଚିକିତ୍ସା ଆରମ୍ଭ କରିବେ।ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, କୁଷ୍ଠରୋଗ, ଡା. ତନ୍ମୟ ତ୍ରିପାଠୀ, ଏନ୍ଏଚ୍ଏମ୍ ଡିପିଏମ ସତ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, କୁଷ୍ଠରୋଗ ପରାମର୍ଶଦାତା ଅନୀତା ସାହୁ, ଜିଲ୍ଲାର ସମସ୍ତ ସିଏଚ୍ସିର କୁଷ୍ଠରୋଗ ନୋଡାଲ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
