ବ୍ରଜଘାତରେ ଜଣେ କୃଷକର ମୃତ୍ୟୁ
ତିର୍ତ୍ତୋଲ, (ନିପ୍ର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତର ମୁରାଲି ପୁର ଗ୍ରାମରେ ରବିବାର ବ୍ରଜଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଦିକନ୍ତ ସେନାପତି (୬୫)
ସୂଚନା ଅନୁଯାୟୀ, ଆଦିକନ୍ତ ସେନାପତି ବିଲରେ ଧାନ ତଳି ରୋଇବା କାମ କରୁଥିବା ବେଳେ ହଠାତ୍ ବ୍ରଜଘାତର ଶିକାର ହୋଇଥିଲେ। ପାଖରେ କାମ କରୁଥିବା ଅନ୍ୟ ଚାଷୀମାନେ ଘଟଣା ଦେଖି ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ଖବର ପାଇ ମନ୍ତ୍ରୀଙ୍କ ପ୍ରତିନିଧି ଓ ସରପଞ୍ଚଙ୍କ ପ୍ରତିନିଧି ମୃତକଙ୍କ ଘରକୁ ପହଞ୍ଚି ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଜଣାଇଥିଲେ। ବ୍ରଜଘାତରେ ମୃତ୍ୟୁ ହୋଇଥିବାରୁ ସରକାରଙ୍କ ପକ୍ଷରୁ ପ୍ରାପ୍ୟ ଆର୍ଥିକ ସହାୟତା ଯଥାଶୀଘ୍ର ପ୍ରଦାନ କରିବାକୁ ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।
