ଦଶପଲ୍ଲାରେ ଚରମସୀମାରେ ରାଜନୈତିକ ଉଷ୍ମତା: ବିଧାୟକ ପହଞ୍ଚିବା ପୂର୍ବରୁ ସାଂସଦ ସୁକାନ୍ତ ପାଣିଗ୍ରାହୀ କଲେ BEO ଅଫିସ୍ ଉଦ୍ଘାଟନ
ଦଶପଲ୍ଲା -ଭଞ୍ଜଦୂତ(ଲୋକନାଥ)୨୬/୦୭ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନ ଧରି ଚାପି ହୋଇ ରହିଥିବା ରାଜନୈତିକ ବିବାଦ ଏବେ ପଦାରେ ପଡ଼ିଛି। ନବନିର୍ମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସୁଦୃଶ୍ୟ ନୂତନ ଗୃହ ର ଶୁଭ ଉଦ୍ଘାଟନୀ ମହୋତ୍ସବକୁ ନେଇ ସ୍ଥାନୀୟ ରାଜନୀତିରେ ତୀବ୍ର ଅସନ୍ତୋଷ ଓ ଉଷ୍ମତା ଚରମସୀମାରେ ପହଞ୍ଚିଛି। ସରକାରୀ ନିୟମ ଏବଂ ପ୍ରଶାସନିକ ପ୍ରୋଟୋକଲ୍କୁ କ୍ଷେତ୍ରସ୍ତରରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ମିଳିଥିବା ବିଶ୍ୱସ୍ତ ସୂଚନା ଅନୁଯାୟୀ, କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ ଅତିଥି ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ସେଠାରେ ପହଞ୍ଚିବା ପୂର୍ବରୁ ହିଁ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ତରବରିଆ ଭାବେ ନୂତନ କାର୍ଯ୍ୟାଳୟ ଭବନର ଫିତା କାଟି ଦେଇଥିଲେ। ବିଧାୟକଙ୍କ ଆସିବା ପୂର୍ବରୁ ସାଂସଦଙ୍କ ଏହିପରି ଉଦ୍ଘାଟନ କରିଦେବା ଘଟଣା ଏବେ ନୟାଗଡ଼ ଜିଲ୍ଲା ରାଜନୀତିରେ ଏକ ବଡ଼ ଝଡ଼ ସୃଷ୍ଟି କରିଛି।
ଉଦ୍ଘାଟନୀ ସଂଗ୍ରାମ ଓ ପ୍ରଶାସନିକ ସମନ୍ୱୟର ଚରମ ଅଭାବ କାରଣରୁ ସ୍ଥାନୀୟ ବିଧାୟକ ଏହି ସରକାରୀ ଉତ୍ସବରେ ଯୋଗ ଦେଇନଥିଲେ। ବିଧାୟକ ପହଞ୍ଚିବା ପୂର୍ବରୁ ସାଂସଦ ଫିତା କାଟିଦେବା କାର୍ଯ୍ୟକୁ ଏକ ସ୍ପଷ୍ଟ ଅପମାନ ବୋଲି ଦର୍ଶାଇ ବିଧାୟକଙ୍କ ସମର୍ଥକ ଏବଂ କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଓ ଚାପା ଉତ୍ତେଜନା ଦେଖାଦେଇଛି। ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାଦ୍ ଦେଇ କିମ୍ବା ଅଣଦେଖା କରି କାର୍ଯ୍ୟ ହେବା ସୁସ୍ଥ ଗଣତନ୍ତ୍ରର ଲକ୍ଷଣ ନୁହେଁ ବୋଲି ବିଭିନ୍ନ ମହଲରୁ ସ୍ୱର ଉଠିଛି। ଏହି ଚାପା ରାଜନୈତିକ ଉତ୍ତେଜନା ଭିତରେ ମାନ୍ୟବର ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀଙ୍କ ସହିତ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଦଶପଲ୍ଲାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଦଶପଲ୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ। ଏହା ସହ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାତ୍ର ଏବଂ ଦଶପଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭକ୍ତି ବିନୋଦ ସଲ୍ ପ୍ରମୁଖ ମଧ୍ୟ ଏହି ବିବାଦୀୟ ପରିସ୍ଥିତି ମଧ୍ୟରେ ମଞ୍ଚାସୀନ ହୋଇଥିଲେ। ଜିଲ୍ଲାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଉପସ୍ଥିତି ସତ୍ତ୍ୱେ ଏଭଳି ପ୍ରୋଟୋକଲ୍ ଉଲ୍ଲଂଘନ ପ୍ରଶାସନର ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଶପଲ୍ଲା ବ୍ଲକ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ନୂତନ ଓ ସୁସଜ୍ଜିତ ପ୍ରଶାସନିକ ଭବନଟି ନିର୍ମାଣ କରାଯାଇଛି। ଏହାଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମସ୍ୟାର ତ୍ୱରିତ ସମାଧାନ ହେବା ସହ ଶିକ୍ଷା କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଜନତା ଉପକୃତ ହେବେ ବୋଲି ଆଶା କରାଯାଉଥିଲା। ମାତ୍ର ଶିକ୍ଷାର ବିକାଶ ନାଁରେ ଆୟୋଜିତ ଏହି ସରକାରୀ କାର୍ଯ୍ୟକ୍ରମ ଏବେ ସଂପୂର୍ଣ୍ଣ ଭାବେ ଏକ ରାଜନୈତିକ କ୍ଷମତା ଯୁଦ୍ଧର ଆଖଡ଼ା ପାଲଟିଛି। ନେତାଙ୍କ ମଧ୍ୟରେ ଶ୍ରେୟ ନେବାର ଏହି ପ୍ରତିଯୋଗିତା ଏବଂ ପ୍ରୋଟୋକଲ୍ ବିବାଦ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।
