*ନୂଆପଡ଼ାରେ ADAPT4R ଜିଲ୍ଲାସ୍ତରୀୟ କର୍ମଶାଳା; କୃଷି କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୮/୦୬:
ଆଗାମୀ ଖରିଫ ଋତୁରେ ଜଳବାୟୁ ପରିବର୍ତ୍ତନ ଜନିତ ଅନିଶ୍ଚିତତାକୁ ସଫଳତାର ସହ ମୁକାବିଲା କରି କୃଷକଙ୍କୁ ଜଳବାୟୁ ସହନଶୀଳ କୃଷି ପ୍ରଣାଳୀ ସହ ଯୋଡ଼ିବା ଲକ୍ଷ୍ୟରେ ADAPT4R (Adaptation for Resilience) ପ୍ରକଳ୍ପ ଅଧୀନରେ ଜିଲ୍ଲାସ୍ତରୀୟ କ୍ଲାଇମେଟ୍ ଆଉଟଲୁକ୍ ଫୋରମ୍ ଓ ଖରିଫ ଋତୁକାଳୀନ ପରିକଳ୍ପନା କର୍ମଶାଳା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କର୍ମଶାଳାରେ ଜିଲ୍ଲାପାଳ କହିଥିଲେ ଯେ, “ନୂଆପଡ଼ାକୁ ଜଳବାୟୁ ସହନଶୀଳ କୃଷିର ଏକ ପ୍ରୟୋଗଶାଳା (Laboratory) ଭାବେ ଗଢ଼ି ତୋଳାଯିବ।” ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ କୃଷିକୁ ଅଧିକ ସ୍ଥାୟୀ ଓ ଲାଭଦାୟକ କରିବା ପାଇଁ ଜୈବ ସାରର ବ୍ୟବହାର, ଡ୍ରିପ୍ ଇରିଗେସନ୍ ଭଳି ଜଳ ସଞ୍ଚୟକାରୀ ପ୍ରଯୁକ୍ତିର ପ୍ରସାର ସହ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ ତଥା ADAPT4R ଜିଲ୍ଲା ନୋଡାଲ ଅଧିକାରୀ ଆଜିଜ ଖାନ କହିଥିଲେ ଯେ, ଆଗାମୀ ଖରିଫ ଋତୁକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ଜଳବାୟୁ ଜନିତ ଅନିଶ୍ଚିତତାରୁ ସୁରକ୍ଷିତ ରଖିବା ଏବଂ କୃଷିକୁ ଜଳବାୟୁ ସହନଶୀଳ କରିବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ନୂଆପଡ଼ାକୁ ଜଳବାୟୁ ସହନଶୀଳତାର ଏକ ଆଦର୍ଶ ମଡେଲ୍ ଭାବେ ବିକଶିତ କରିବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ହିଁ ସଫଳତାର ମୂଳ ଆଧାର ବୋଲି ସେ କହିଥିଲେ।ଆଞ୍ଚଳିକ ପାଣିପାଗ କେନ୍ଦ୍ରର କନିଷ୍ଠ କୃଷି-ପାଣିପାଗ ବିଜ୍ଞାନୀ ତାପସ ପାଣିଗ୍ରାହୀ ବର୍ଷା ଓ ମୌସୁମୀ ବାୟୁର ପୂର୍ବାନୁମାନ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିବା ସହିତ ସେହି ଆଧାରରେ କୃଷି ଓ ସମ୍ପୃକ୍ତ ବିଭାଗଗୁଡ଼ିକ କିପରି ପୂର୍ବ ପ୍ରସ୍ତୁତି ନେଇପାରିବେ, ସେନେଇ ଆଲୋକପାତ କରିଥିଲେ।ପ୍ରକଳ୍ପର ବୈଷୟିକ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା କୃଷି ବିଜ୍ଞାନ କେନ୍ଦ୍ର, ନୂଆପଡ଼ା ପକ୍ଷରୁ ଜଳବାୟୁ ସହନଶୀଳ କୃଷି ପ୍ରଯୁକ୍ତି, କୃଷକ ପ୍ରଶିକ୍ଷଣ, ଆଧୁନିକ କୃଷି ପରାମର୍ଶ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା।
କର୍ମଶାଳାରେ ବର୍ଷା ପୂର୍ବାନୁମାନ ଆଧାରିତ କୃଷି ଯୋଜନା, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ବନ, ଜଳ ସମ୍ପଦ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ସମନ୍ୱିତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କୃଷକଙ୍କ ନିକଟରେ ସଠିକ୍ ସମୟରେ ପାଣିପାଗ ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ଓ ଜଳବାୟୁ ଜନିତ ବିପଦର ପ୍ରଭାବ ହ୍ରାସ କରିବା ଦିଗରେ ଏକ ସମନ୍ୱିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର ସାହୁ, ବିଭିନ୍ନ ବ୍ଲକର ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, କୃଷି ଓ ଆନୁଷଙ୍ଗିକ ବିଭାଗର ପ୍ରତିନିଧି, ଭାରତୀୟ ପାଣିପାଗ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ (WFP)ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ୟ ଯେ, ADAPT4R (Adaptation for Resilience) ହେଉଛି ଏକ ପାଞ୍ଚବର୍ଷିଆ ପ୍ରକଳ୍ପ, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ। ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଅସୁରକ୍ଷିତ କୃଷକ ସମ୍ପ୍ରଦାୟ, ବିଶେଷକରି ମହିଳା କୃଷକମାନଙ୍କର ଜଳବାୟୁ ସହନଶୀଳତା ବୃଦ୍ଧି କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ।
