ସାଧନ କେନ୍ଦ୍ର ସ୍ଥାନାନ୍ତରକୁ ନେଇ ବିବାଦ : ଜିଲ୍ଲାପାଳଙ୍କ ନିକଟରେ ଫେରାଦ, କୁଚକ୍ରୀଙ୍କ ଭୂମିକା ନେଇ ଚର୍ଚ୍ଚା
ରିପୋର୍ଟ – ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ବିଂଝାରପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଓଳେଇ ଚନ୍ଦନପୁର ସାଧନ କେନ୍ଦ୍ର ସ୍ଥାନାନ୍ତର ପାଇଁ କେତେକ ପ୍ରଧାନ ଶିକ୍ଷକ ଜିଲାପାଳଙ୍କୁ ଲିଖିତ ଜଣାଇ ଏବେ ବିବାଦରେ। ମଣ୍ଡଳ ଶିକ୍ଷା ଅଧିକାରୀ କିମ୍ୱା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନଜଣାଇ ସିଧାସଳଖ ଜିଲ୍ଲାପାଳ ଙ୍କୁ ଜଣାଇବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ମଣ୍ଡଳ ଶିକ୍ଷା ଅଧିକାରୀ। ଏହା ପଛରେ ଏକ କୁଚକ୍ରୀ ଗୋଷ୍ଠୀର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟଯେ ଓଳେଇ ଚନ୍ଦନପୁର ସାଧନ କେନ୍ଦ୍ର ଅଧୀନରେ ୧୨ ଟି ବିଦ୍ୟାଳୟ ରହିଛି। ସିଂହପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ୬ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧନ କେନ୍ଦ୍ର ସ୍ଥାନାନ୍ତର ପାଇଁ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଛନ୍ତି। ସାଧନ କେନ୍ଦ୍ର ସିଂହପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କରାଯିବାକୁ କେତେକ ପ୍ରଧାନ ଶିକ୍ଷକ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଜିଲ୍ଲାପାଳ ଏସଂପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିଞ୍ଝାରପୁରକୁ ଜଣାଇଛନ୍ତି । ଏହା ଜଣାପଡିବା ପରେ ଅଧିକାଂଶ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଧାନ ଶିକ୍ଷକ କେଦାର ନାଥ ଦାସଙ୍କ ବିରୋଧରେ ପୂର୍ବରୁ ଅନେକ ସଙ୍ଗୀନ ଅଭିଯୋଗ ଥିବା ବେଳେ ଉପରିସ୍ଥ ଅଧିକାରୀ ଏହାକୁ ଚାପି ଦେଇଛନ୍ତି ।
ଏବେ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଓ ଅନ୍ୟ ପ୍ରଧାନ ଶିକ୍ଷକ ମଣ୍ଡଳ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଣଦେଖା କରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଫେରାଦ ହେବାକୁ ନାପସନ୍ଦ କରିଛନ୍ତି ଶିକ୍ଷକ ଓ ଅଧିକାରୀ। ୫ ବର୍ଷ ଧରି ବିଦ୍ୟାଳୟକୁ ନ ଆସି ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଙ୍କ ନାଁରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରାଯାଉଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଚୁପ୍ ରହିବା ଓ ଏହି ଖବର “ଅନୁପମ ଭାରତ ” ରେ ପ୍ରକାଶିତ ହେବା ସମ୍ପୃକ୍ତ ଛାତ୍ରୀଙ୍କୁ ତରବରିଆ ଟି ସି ଦେବା ଘଟଣା ଉପରେ ମଣ୍ଡଳ ଶିକ୍ଷା ଅଧିକାରୀ ଚୁପ୍ ରହିବା ବିଡମ୍ବନା। ଏ ସଂପର୍କରେ ମଣ୍ଡଳ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ ପଚାରିବାରୁ ସବୁ କଥା ତାଙ୍କ ନଜରରେ ଅଛି। ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ।
