ଗୋଲିଆ-ତାଳସର ରାସ୍ତା ଶୋଚନୀୟ, ପ୍ରତିକାର ଦାବି
ବୁଗୁଡ଼ା,୨୯/୦୬,(ଡ.କୁମୁଦ ଚନ୍ଦ୍ର ବେହେରା):ସରକାରଙ୍କ ନାରା ବିକଶିତ ଓଡ଼ିଶା, ବିକଶିତ ଗାଁ ଏବଂ ବିକାଶର ଧାରା, ଓଡ଼ିଶା ସାରା ସମ୍ପ୍ରତି ବୁଗୁଡ଼ା ଅଞ୍ଚଳବାସୀଙ୍କ ପାଇଁ ପରିହାସର ବାଣୀ ପାଲଟିଛି । ଦେଶ ସ୍ଵାଧୀନତାର ଦୀର୍ଘ ୭୮ ବର୍ଷ ବିତିଯାଇଥିଲେ ବି ନିଜ ଗାଁକୁ ଭଲ ରାସ୍ତାଟିଏ ଗ୍ରାମବାସୀ ପାଇପାରି ନାହାନ୍ତି । ଖରା ଓ ଶୀତ ଦିନରେ ଖାଲଢେପରେ ପଡ଼ି ଲୋକେ ଗାଁକୁ ଯାଉଥିବା ବେଳେ ବର୍ଷା ଦିନେ ଯମଯନ୍ତ୍ରଣା ଭୋଗୁଛନ୍ତି । ପ୍ରଶାସନିକ ଉଦାସୀନତା ଓ ନେତାଙ୍କ ଅପାରଗତା ଯୋଗୁଁ ତିନିଖଣ୍ଡ ଗାଁର ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି । ଏଭଳି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାର ଦୃଶ୍ୟ ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ।
ଗୋଲିଆ ଗ୍ରାମ ଉପକଣ୍ଠ କୋଇଲୁଣ୍ଡି ଛକଠାରୁ ମରେଇପଲ୍ଲୀ
ଓ ଡାହାଣପଲ୍ଲୀ ଗାଁ ଦେଇ
ତାଳସର ଗ୍ରାମକୁ ଯାଇଥିବା
ରାସ୍ତାର ଅବସ୍ଥା ଅତୀବ ଦୟନୀୟ
ହୋଇପଡିଛି । ଏ ନେଇ ଏହି
ତିନି ଗୋଟି ଗାଁରେ ଲୋକେ
ଅନେକ ଥର ଗୁହାରି କରି ଆନ୍ଦୋଳନ କରିଥିଲେ
ମଧ୍ୟ ସ୍ଥାନୀୟ ବ୍ଲକ ପ୍ରଶାସନ
ଶୁଣୁନଥିବା ଅଭିଯୋଗ ହେଉଛି ।
ଗତ ୨୦୨୩ ଅଗଷ୍ଟ ୨୮ ତାରିଖ
ଦିନ ଏହି ରାସ୍ତା ଯୋଗୁଁ ହିନସ୍ତା
ହେଉଥିବା ଗ୍ରାମବାସୀମାନେ ବ୍ଲକ
କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ରାସ୍ତା ତିଆରି ନକଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ ।
ତତ୍କାଳୀନ ବିଡିଓ ବାବୁ ରାସ୍ତା ନିର୍ମାଣର ଆଶ୍ୱାସନା ଦେଇ ଲୋକଙ୍କୁ ଫେରାଇ ଦେଇଥିଲେ ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ନେତାଗଣଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଫସିଯାଇ ଲୋକେ ଭୋଟ ମଧ୍ୟ ଦେଇଥିଲେ । ଭୋଟ ସରିଯାଇ ସରକାର ବଦଳି ଯାଇ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି କଦର୍ଯ୍ୟ ରାସ୍ତାର ଅବସ୍ଥା ବଦଳିଲା ନାହିଁ କି ଗାଁ ଲୋକଙ୍କ
ଦୁର୍ଦ୍ଦଶା ଦୂର ହୋଇନାହିଁ । ବର୍ଷା
ଦିନେ ସେହି ପାଣିଭରା ଖାଲଖମା
ରାସ୍ତାରେ ଯାନବାହନ ଚଳାଚଳ
କଷ୍ଟକର ହେଉଥିବା ବେଳେ
ଗୋଲିଆ ଗ୍ରାମ୍ୟ ହାଇସ୍କୁଲରେ
ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ
ପଢୁଥିବା ଛାତ୍ରଛାତ୍ରୀ ଏବଂ
ଭତ୍ତା ଓ ରାସନ ପାଇଁ ପଞ୍ଚାୟତ
କାର୍ଯ୍ୟାଳୟକୁ ଯିବା ଆସିବା ବେଳେ
ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
ହେଉଥିବାରୁ ଲୋକଙ୍କ ମଧ୍ୟରେ
ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ବିପଦ ସମୟରେ ଆମ୍ବୁଲାନ୍ସ ମରେଇପଲ୍ଲୀ ଗାଁ ପାଖକୁ ଯାଇପାରୁଥିବା ବେଳେ ଅନ୍ୟ ଦୁଇ ଗାଁକୁ ଯାଇ ନପାରି ବାଟରେ ଅଟକି ଯାଉଥିବାରୁ ଲୋକେ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡୁଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନର ନିନ୍ଦନୀୟ ଉଦାସୀନତା ଓ ନେତାଙ୍କ ଅକ୍ଷମଣୀୟ ଅପାରଗତାକୁ ଦାୟୀ କରି ଦୁର୍ଦ୍ଦଶାଗ୍ରସ୍ତ ଗ୍ରାମବାସୀମାନେ ଏକ ବଡ ଧରଣର ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡିଛି । ଉକ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଯେକୌଣସି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବା ଯୋଗୁଁ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥ୍ ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ସାଧାରଣରେ ଦୃଢ ଦାବି ହେଉଛି ।
