ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ, ସମ୍ପୂର୍ଣ୍ଣ ପୋଡ଼ିଗଲା ଗାଡ଼ି
ଚାଳକଙ୍କ ବୁଦ୍ଧି ଯୋଗୁଁ ବର୍ତ୍ତିଲା ଜୀବନ; ଅଗ୍ନିଶମ ବାହିନୀ ନିଆଁକୁ କଲା ଆୟତ
ତାଳଚେର, ୨୭/୬ : ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳର ସମଲ କେନାଲ ବାଇପାସ ରାସ୍ତାରେ ସୋମବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ଟା ବେଳେ ଏକ ଚଳନ୍ତା ଟ୍ରକରେ ହଠାତ୍ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି।
ସୂଚନା ଅନୁସାରେ, ଓଡି–୩୫–ଏଚ୍–୮୧୯୯ ନମ୍ବର ବିଶିଷ୍ଟ ଟ୍ରକଟି ଚାଲିଥିବା ସମୟରେ ହଠାତ୍ ସର୍ଟ ସର୍କିଟ ହେବାରୁ ଇଞ୍ଜିନ୍ ଭାଗରୁ ନିଆଁ ବ୍ୟାପିଥିଲା। ପରିସ୍ଥିତି ବୁଝି ଚାଳକ ତୁରନ୍ତ ଟ୍ରକକୁ ରାସ୍ତା କଡ଼ରେ ଅଟକାଇ ଗାଡ଼ିରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। କିଛି ସମୟ ମଧ୍ୟରେ ନିଆଁ ସମଗ୍ର ଟ୍ରକକୁ ବ୍ୟାପିଯାଇ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା।
ଖବର ପାଇ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନଥିବା ବେଳେ ଟ୍ରକଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
