ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୪୨ଟି ଅଭିଯୋଗ ଗ୍ରହଣ
ଦେବଗଡ଼, ତିଲେଇବଣି:
ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ତାହାର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ମୋଟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ୩୬ଟି ବ୍ୟକ୍ତିଗତ ଏବଂ ୬ଟି ସାମୂହିକ ଅଭିଯୋଗ ରହିଥିଲା। ଜମିଜମା ବିବାଦ, ଭିନ୍ନକ୍ଷମ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ସମସ୍ୟା ଏବଂ ନୂତନ ରାସ୍ତା ନିର୍ମାଣ ଭଳି ବିଭିନ୍ନ ଜନସମସ୍ୟା ସମ୍ପର୍କିତ ଅଭିଯୋଗ ଉପସ୍ଥାପିତ ହୋଇଥିଲା।
ଅଭିଯୋଗଗୁଡ଼ିକର ଶୁଣାଣି ପରେ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ୟାଗୁଡ଼ିକର ଶୀଘ୍ର ଏବଂ ଫଳପ୍ରଦ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତତ୍କାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ବନଖଣ୍ଡ ଅଧିକାରୀ ରଶ୍ମି ଜି., ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ତିଲେଇବଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ: ସୁରେଶ ମାଝୀ, ଦେବଗଡ଼
