ସୋରରେ ଘନଘନ ପେଟ୍ରୋଲିଂ ପାଇଁ ଦାବି।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ ଦିନକୁ ଦିନ ଅପରାଧ ସଂଖ୍ୟା ବଢୁଥିବା ବେଳେ ସୋର ପୋଲିସ ର ପେଟ୍ରୋଲିଂ ବ୍ୟବସ୍ଥା ଉପରେ ସାଧାରଣରେ ଆଲୋଚନା ହେଉଛି। ସୋର ପୌରାଞ୍ଚଳ ସମେତ ଆଖପାଖ ଗ୍ରାମାଞ୍ଚଳରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। କିଛି ଦିନ ତଳେ ଇଟା ଭାଟିରେ କାମ କରୁଥିବା ମହିଳା ଙ୍କ ଶିଶୁପୁତ୍ର ଚୋରି କଥା ହେଉ ଅବା ତିନି ଦିନ ତଳେ ସୋର କମରପୁର ଅଞ୍ଚଳରେ କଳା ପଲସର ରେ ଦୃର୍ବୁତ୍ତ ମାନେ ମହିଳା ଙ୍କ ସୁନା ଚେନ ଲୁଟ ଘଟଣା ହେଉ ଏପର୍ଯ୍ୟନ୍ତ ପୋଲିସ୍ ର ହାତ ଖାଲି। ଦିନକୁ ଦିନ ଚୋରି, ରାହାଜାନୀ ଏବଂ ଡକାୟତ ଭଳି ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ବେଧଡ଼କ ଭାବେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଥିବା ବେଳେ ସୋର ପୋଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ସାଜିଥିବା ଅଭିଯୋଗ ହେଉଛି ।ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ହେବ ସୋର ସହରର ବିଭିନ୍ନ ୱାର୍ଡ ଏବଂ ଜନଗହଳିପୂର୍ଣ୍ଣ ରାସ୍ତାରେ ଛିନତାଇ ଓ ଚୋରି ବଢିବାରେ ଲାଗିଛି। ବିଶେଷ କରି ସନ୍ଧ୍ୟା ହେଲେ ଅନ୍ଧାରୁଆ ଗଳି ଏବଂ ମୁଖ୍ୟ ରାସ୍ତାରେ ଅସାମାଜିକ ତତ୍ତ୍ଵଙ୍କ ପ୍ରାଦୁର୍ଭାବ ବଢୁଛି। ମହିଳା ଓ ବ୍ୟବସାୟୀମାନେ ରାସ୍ତାରେ ଯିବାଆସିବା କରିବାକୁ ଭୟ କରୁଛନ୍ତି । ଆଶ୍ଚର୍ଯ୍ୟର କଥା, ଅପରାଧ ରୋକିବା ପାଇଁ ଯେଉଁ ପେଟ୍ରୋଲିଂ ବ୍ୟବସ୍ଥା ରହିବା କଥା, ତାହା ସୋର ଅଞ୍ଚଳରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ବିଳମ୍ବିତ ରାତି ତ ଦୂରର କଥା, ସନ୍ଧ୍ୟା ସମୟରେ ମଧ୍ୟ ପୋଲିସ ଗାଡ଼ିର ଦେଖା ମିଳୁନାହିଁ। ପୋଲିସର ଏହି ଢିଲା ଆଭିମୁଖ୍ୟ ଯୋଗୁଁ ଅପରାଧୀଙ୍କ ମନରେ ଆଉ ଆଇନର ଭୟ ରହୁନାହିଁ। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ବାରମ୍ବାର ଚୋରି ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିଯାଉଛି। ରାତ୍ରିକାଳୀନ ପେଟ୍ରୋଲିଂକୁ କଡ଼ାକଡ଼ି ନକରାଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚେତାବନୀ ଦିଆଯାଇଛି। ସୋରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
