ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସବ୍ଡିଭିଜନାଲ୍ ଡାକ୍ତରଖାନା ମାନ୍ୟତା ଦାବି
ବେତନଟୀ(ନି ପ୍ର) ୨୪/୫: ଯୁବ ସମାଜସେବୀ ଅଜିତ କୁମାର ସାହୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସବ୍ଡିଭିଜନାଲ୍ ଡାକ୍ତରଖାନାର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି। ସେ ଏହି ଦାବି ସହ ହସ୍ପିଟାଲ୍ର ଶଯ୍ୟା ସଂଖ୍ୟା ୩୦ରୁ ୧୦୦କୁ ବୃଦ୍ଧି କରିବା ଏବଂ ପୂର୍ବ ସରକାରୀ ନିଷ୍ପତ୍ତି ଅନୁଯାଇ ତୁରନ୍ତ ଟ୍ରମା ସେଣ୍ଟର ପ୍ରତିଷ୍ଠା ପାଇଁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।
ବାରିପଦା ପି.ଆର.ଏମ୍ ମେଡିକାଲ୍ କଲେଜ୍ ଓ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ଶଶିକାନ୍ତ ସେଠୀ ଗତ ମଙ୍ଗଳବାର ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବାକୁ ଆସିଥିଲେ। ସେହି ସମୟରେ ଅଜିତ କୁମାର ସାହୁ ଡାକ୍ତରଙ୍କୁ ସାକ୍ଷାତ କରି ବେତନଟୀ ଡାକ୍ତରଖାନାର ଉନ୍ନୟନ ପାଇଁ ଆଲୋଚନା କରିଥିଲେ। ସେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ଭିତ୍ତିଭୂମି, ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଥିବା ଆବଶ୍ୟକତା ଏବଂ ବର୍ତ୍ତମାନର ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ବେତନଟୀ ସବ୍ଡିଭିଜନ୍ ଅଞ୍ଚଳରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛଡା ପୋଲିସ୍ ସବ୍ଡିଭିଜନାଲ୍ କାର୍ଯ୍ୟାଳୟ, ପିଡବ୍ଲ୍ୟୁଡି, ଆରଡି, ମାଇନର୍ ଇରିଗେସନ୍, ଇଲେକ୍ଟ୍ରିକାଲ୍ ସବ୍ ଡିଭିଜନ୍, ଟ୍ରେଜୁରୀ, ଆରଏମ୍ସି, ଜିଲ୍ଲା କୃଷି କାର୍ଯ୍ୟାଳୟ, ଜେଏମଏଫସି କୋର୍ଟ୍ ଆଦି ଅନେକ ଗୁରୁତ୍ଵପୁର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟ ଥିବା ସତ୍ତ୍ୱେ ସବ୍ଡିଭିଜନାଲ୍ ଡାକ୍ତରଖାନାର ଅଭାବ ରହିଛି। ଏହା ବେତନଟୀ ସହ ଆଖପାଖ ବ୍ଲକ୍ ଯଥା ବଡ଼ସାହି, ମୋରଡ଼ା ଏବଂ ବାରିପଦା ବ୍ଲକ୍ର ରୋଗୀଙ୍କ ପାଇଁ ମୂଖ୍ୟ ଚିକିତ୍ସା କେନ୍ଦ୍ର ଭାବେ କାର୍ଯ୍ୟ କରୁଛି।
ବେତନଟୀ ବ୍ଲକ୍ର ୨୪ଟି ଗ୍ରାମ ପଞ୍ଚାୟତ ସହ ଆଖପାଖ ଅଞ୍ଚଳର ରୋଗୀମାନେ ଏଠାରେ ଆସି ଚିକିତ୍ସା କରାଉଛନ୍ତି। ଫଳସ୍ୱରୂପ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ସ୍ଥାନ ତୁଳନାରେ ଅଧିକ ରୋଗୀଙ୍କ ଭିଡ଼ ଦେଖାଯାଉଛି। ମାତ୍ର ୩୦ଟି ଶଯ୍ୟା ଥିବା ସତ୍ତ୍ୱେ ଅନେକ ସମୟରେ ରୋଗୀମାନେ ବେଡ୍ ନ ପାଇ ତଳେ ବେଡ୍ ବିଛାଇ ଚିକିତ୍ସା ହେଉଥିବା ଦୃଶ୍ୟ ଦେଖାଯାଉଛି। ଏହା ସହିତ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ଏହି ହସ୍ପିଟାଲ୍କୁ ଟ୍ରମା ସେଣ୍ଟର କରିବା ନେଇ ସରକାରୀ ନିଷ୍ପତ୍ତି ଥିବା ସତ୍ତ୍ୱେ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅଜିତ ସାହୁ। ସମାଜସେବୀ ଅଜିତ କୁମାର ସାହୁ କହିଛନ୍ତି ଯେ, ବେତନଟୀ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଜରୁରୀ। ତେଣୁ ସେ ବେତନଟୀର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ମିଡିଆ ପ୍ରତିନିଧିଙ୍କ ସହ ଆଲୋଚନା କରି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ଏଵଂ ସ୍ବାସ୍ଥ୍ୟ ବିଭାଗର ସଚିବଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନୟନ ଓ ସବ୍ଡିଭିଜନାଲ୍ ମାନ୍ୟତା ଦାବି ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆଶାକୁ ପ୍ରତିଫଳିତ କରୁଛି। ଯଦି ସରକାର ଏହି ଦାବିଗୁଡ଼ିକୁ ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବେ ତେବେ ମୟୂରଭଞ୍ଜ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ଲକ୍ଷାଧିକ ଜନତା ଉପକୃତ ହେବେ ବୋଲି ଆଶା କରାଯାଉଛି।
