ଶୈକ୍ଷିକ ଉତ୍କର୍ଷର ନୂତନ ଦିଗନ୍ତ: ବେଳାଭୂମି ମହାବିଦ୍ୟାଳୟରେ ଉଚ୍ଚ ସ୍ତରୀୟ ‘ନାକ୍’ (NAAC) ମାର୍ଗଦର୍ଶନ ଶିବିର।
ବସ୍ତା:- ୨୦/୦୫/୨୦୨୬
ସେଖ ଆଜାରୁଦ୍ଦିନ (ନି.ପ୍ର)
ଶିକ୍ଷାନୁଷ୍ଠାନର ଗୁଣାତ୍ମକ ମାନକୁ ବିଶ୍ୱସ୍ତରୀୟ କରିବା ତଥା ଆଗାମୀ ‘ନାକ୍’ (NAAC) ମୂଲ୍ୟାଙ୍କନରେ ଶ୍ରେଷ୍ଠ ସଫଳତା ହାସଲ କରିବା ନିମନ୍ତେ ଆଜି ବେଳାଭୂମି ମହାବିଦ୍ୟାଳୟ ପରିସରରେ ଏକ ଦୂର ଦୃଷ୍ଟି ସମ୍ପନ୍ନ ସମୀକ୍ଷା ଓ ମାର୍ଗଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହାଯଜ୍ଞରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କଲେଜ ବିକାଶ ପରିଷଦ (CDC) ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲ ଏବଂ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ସେଲ୍ (IQAC) ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାଢ଼ୀ ମୁଖ୍ୟ ପ୍ରେରଣାଦାୟୀ ମାର୍ଗଦର୍ଶକ ଭାବେ ଯୋଗ ଦେଇଥିଲେ। ସଭାର ପ୍ରାରମ୍ଭରେ କଲେଜ ଆଇ.କ୍ୟୁ.ଏ.ସି (IQAC) କୋଅର୍ଡିନେଟର ଶ୍ରୀଯୁକ୍ତ ଡକ୍ଟର ଅନନ୍ତ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଅନୁଷ୍ଠାନର ପ୍ରସ୍ତୁତି ସମ୍ପର୍କିତ ଚିତ୍ତାକର୍ଷକ ବିବରଣୀ ଉପସ୍ଥାପନ କରିଥିଲେ। ଶୈକ୍ଷିକ ଅଭିବୃଦ୍ଧିର ରୂପରେଖ ସଜାଇ ପ୍ରଫେସର ଅଗ୍ରୱାଲ ପ୍ରତ୍ୟେକ ବିଭାଗର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭାଗୀୟ ସେମିନାର୍, ସମୃଦ୍ଧ ପାଠାଗାର, ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (Faculty Development Program), ଉଚ୍ଚକୋଟୀର ସନ୍ଦର୍ଭ ପ୍ରକାଶନ (Paper Publication), ଆନ୍ତର୍ଜାତୀୟ ଆଲୋଚନା ଚକ୍ର, ପ୍ରାକ୍ତନ ଛାତ୍ର ସଂସଦ ତଥ୍ୟ (Alumni Data), ବହୁମୁଖୀ ଫିଡ୍ବ୍ୟାକ୍ ବ୍ୟବସ୍ଥା ଏବଂ ‘ସ୍ୱୟଂ’ (SWAYAM) ଅନଲାଇନ୍ ଶିକ୍ଷାଦାନର ବହୁବିଧ ପ୍ରୟୋଗ ଉପରେ ବିଜ୍ଞୋଚିତ ଦିଗଦର୍ଶନ ଦେଇଥିଲେ। ଅପରପକ୍ଷରେ, ପ୍ରଫେସର ପାଢ଼ୀ ନିଜର ପାୱାରପଏଣ୍ଟ ପ୍ରେଜେଣ୍ଟେସନ (PPT) ମାଧ୍ୟମରେ ନାକ୍ ମୂଲ୍ୟାଙ୍କନର ସାତଟି ଯାକ ପ୍ରମୁଖ ମାନଦଣ୍ଡ ଉପରେ ସୂକ୍ଷ୍ମ ରଣନୀତି ବୁଝାଇଥିଲେ। ଶିକ୍ଷାଦାନର ଶୈଳୀ, ଛାତ୍ରକେନ୍ଦ୍ରିକ ପ୍ରଦର୍ଶନ, ନଥିପତ୍ର ପରିଚାଳନା (Documentation) କୁ ତ୍ରୁଟିଶୂନ୍ୟ କରିବା ତଥା ଅନଲାଇନ୍ ସ୍ତରରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ‘ତଥ୍ୟ ଯାଞ୍ଚ ଓ ବୈଧୀକରଣ’ (DVV) ପ୍ରକ୍ରିୟା ପାଇଁ କିଭଳି ସଜାଗ ରହିବାକୁ ହେବ, ସେ ନେଇ ସେ ସମସ୍ତ ଶିକ୍ଷକ ମଣ୍ଡଳୀଙ୍କୁ ଅମୃତ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି ବୈଷୟିକ ମାନସ ମନ୍ଥନ ମଧ୍ୟରେ ମହାବିଦ୍ୟାଳୟର ଆଡମିନିଷ୍ଟ୍ରେଟିଭ୍ ବର୍ସର ଶ୍ରୀମତୀ ମମତା ପଣ୍ଡା କଲେଜରେ ଆଗାମୀ ଦିନରେ ନୂତନ ବିଭାଗ ଖୋଲିବା ଏବଂ ପରୀକ୍ଷା ପରିଚାଳନା ପାଇଁ ନିଜ ଅନୁଷ୍ଠାନରୁ ଅନ୍ୟ କେନ୍ଦ୍ରକୁ ‘ବିଶ୍ୱବିଦ୍ୟାଳୟ-ପ୍ରତିନିଧି’ (UR) ପ୍ରେରଣ ବାବଦରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବନା ଆଗତ କରିଥିଲେ। ମହାବିଦ୍ୟାଳୟକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିବାର ଏହି ସାମୂହିକ ସଂକଳ୍ପ ଶିବିରରେ ଅଧ୍ୟାପକ ଓ ଅଧ୍ୟାପିକା ଶ୍ରୀଯୁକ୍ତ ଅନିରୁଦ୍ଧ ବରାଳ, ଡ. ପ୍ରଶାନ୍ତ ରାଉତ, ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ଅଧ୍ୟାପିକା ମଧୁସ୍ମିତା ମହାନ୍ତି, ଶ୍ରୀମତୀ ବିଦ୍ୟୁତ ପ୍ରଭା ଅଗସ୍ତି, ଅଧ୍ୟାପିକା ବିଦ୍ୟାଭାରତି ପଣ୍ଡା, ଶ୍ରୀଯୁକ୍ତ ବସନ୍ତ ସନ୍ଧିବିଗ୍ରହ, ଡ.ରଣଜିତ ବେହେରା, ଅଧ୍ୟାପକ ସୌମ୍ୟଶରଣ ପଣ୍ଡା, ଅଧ୍ୟାପକ ରମାକାନ୍ତ ବାରିକ, ଅଧ୍ୟାପକ ସୁଦର୍ଶନ ସିଂ, ଅଧ୍ୟାପକ ଅଶୋକ ନାଏକ, ଅଧ୍ୟାପିକା ଦିପ୍ତିମୟୀ ମାରାଣ୍ଡି, ଅଧ୍ୟାପିକା ସଙ୍ଗୀତା ସାହାଣୀ ଏବଂ ଅଣଶିକ୍ଷକ କର୍ମଚାରୀ ଶ୍ରୀଯୁକ୍ତ ଗୁରୁପ୍ରସାଦ ଅଗସ୍ତି, ଶ୍ରୀଯୁକ୍ତ ସନ୍ତୋଷ ଜେନା, ଶ୍ରୀଯୁକ୍ତ ବାବୁରାମ ମାଝୀ, ଶ୍ରୀମତୀ ସସ୍ମିତା ମାଝୀ, ଶ୍ରୀଯୁକ୍ତ ସୁଦର୍ଶନ ଲେଙ୍କା ଓ ଶ୍ରୀମତୀ ଲକ୍ଷ୍ମୀ ମାଝୀ ପ୍ରମୁଖ ନିଜର ସକ୍ରିୟ ଉପସ୍ଥିତି ଓ ଶୃଙ୍ଖଳିତ ସହଯୋଗ ଦ୍ୱାରା ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅଧ୍ୟାପିକା ଜସ୍ମିନ୍ ରାଉତ ଅତି ସୁଚାରୁରୂପେ ସମଗ୍ର ସଭାକୁ ସଂଯୋଜନା କରିଥିବା ବେଳେ ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟବ୍ରତ ଦାସ ସମସ୍ତ ବିଦ୍ୱାନ ଅତିଥି ଓ ଶିକ୍ଷାକର୍ମୀ ପରିବାରକୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।
