ନିଖୋଜ ଶିଶୁପୁତ୍ରର ଟେର ପାଉନି ପୁଲିସ : କୋଳ ଖାଲି କରି ଥାନାରେ ବାହୁନି କାନ୍ଦୁଛି ମା
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦିକ୍ଷୀତ, ନିପ୍ର) :ଦିନ ଦ୍ୱିପ୍ରହରେ ଦୁଇମାସର ଏକ ଶିଶୁପୁତ୍ର ଚୋରି ହେବାକୁ ୧୩ଦିନ ରୁ ଉର୍ଦ୍ଧ ବିତିଯାଇଥିଲେ ମଧ୍ୟ ସୋର ପୁଲିସ ପିଲାର କୈଣସି ଟେର ପାଉନି । ଶିଶୁ ପୁତ୍ରକୁ ଖୋଜି ଆଣିବାକୁ ମା ସୋର ଥାନାକୁ ପ୍ରତିଦିନ ଆସିବା ସହିତ ଗଛମୁଳରେ ବସି କାନ୍ଦୁଥିବା ଦେଖିବାକୁ ମିଳିଛି। ସୁଚନା ଅନୁସାରେ ପଦ୍ମିନୀ ସିଂ ନାମକ ଜଣେ ମହିଳା ସୋର ଥାନା ଚମ୍ପୋ ଛକ ନିକଟରେ ଥିବା ଏକ ସିମେଣ୍ଟ ଇଟା ଫେକ୍ଟ୍ରିରେ କାମ କରନ୍ତି। ଗତ ୧୩ଦିନ ତଳେ ତାଙ୍କର ଦୁଇମାସର ଶିଶୁପୁତ୍ରକୁ ଝୁଲଣାରେ ଶୁଆଇ କାମ କରିବାକୁ ଯାଇଥିଲେ। ସେଠାରୁ ଫେରି ପିଲାକୁ ଝୁଲଣାରେ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ତାଙ୍କ ପିଲା ଚୋରି ହୋଇଥିବା ନେଇ ସୋର ଥାନା ରେ ଅଭିଯୋଗ କରିଥିଲେ।ପୁଲିସ ୨ଟି ଟିମ ଗଠନ କରିବା ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶିଶୁ ପୁତ୍ରର କୌଣସି ସନ୍ଧାନ ପାଇପାରିନାହିଁ। ଆଜି ମଧ୍ୟାହ୍ନରେ ପଦ୍ମୀନି ସୋର ଥାନାକୁ ଆସିବା ସହିତ ଦିର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସ ବାବୁଙ୍କୁ ଦେଖାପାଇଥିଲେ। ପରେ ତାଙ୍କ ପିଲାକୁ ଖୋଜି ଆଣିବାକୁ କହି ନିବେଦନ କରିଥିଲେ। ମାତ୍ର ପୁଲିସ ପାଖରେ କୌଣସି ସନ୍ଧାନ ନଥିବାରୁ ପୁଲିସ ତାଙ୍କୁ ଫେରାଇଦେଇଥିବା ଜଣାପଡିଛି। ପ୍ରକାଶ ଥାଉକି କିଛିଦିନ ହେବ ସୋର ଥାନାଧିକାରୀ ବ୍ୟକ୍ତିଗତ କାରଣରୁ ଛୁଟିରେ ଥିବା ବେଳେ ତାଙ୍କ ଦାୟିତ୍ୱରେ ଥିବା ଅଧିକାରୀ ଏସଆଇ ପ୍ରଭାକର ସାହୁ ଲୋକଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରୁନାହାନ୍ତି। କିମ୍ବା କୌଣସି ଲୋକଙ୍କ ଅଭିଯୋଗ ଶୁଣିବା ବଦଳରେ ବ୍ୟସ୍ତଥିବା କହି ଜାଗା ଛାଡି ଚାଲିଯାଉଛନ୍ତି। ଫଳରେ କିଛିଦିନ ହେବ ସୋର ଥାନା ଅଧିନରେ ଦୁବୁର୍ତ୍ତଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିବା ଦେଖିବାକୁ ମିଳିଛି। ଉକ୍ତ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଥାନାରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ଉକ୍ତ ନିଖୋଜ ଶିଶୁପୁତ୍ରର ମା ଥାନାକୁ ଆସିଥିବା ବେଳେ ତାଙ୍କୁ ଥାନାରେ ବସିବାକୁ ନଦେଇ ଦିର୍ଘ ସମୟ ପର୍ଯ୍ୟନ୍ତ ବାହାରେ ବସାଇ ରଖିଥିଲେ। ଓ ବେକାରର ଭିଡ କାହିୃଁକି କରୁଛ ପିଲା ମିଳିଲେ ଖବର ଦିଆଯିବ ବୋଲି କହି ଥାନା ବାବୁ ଫେରାଇ ଦେଇଥିଲେ।
