ବୌଦ୍ଧରେ “ସୋମନାଥ ସ୍ୱାଭିମାନ ପର୍ବ – ଅବିନାଶୀ ଆସ୍ଥାର ୧୦୦୦ ବର୍ଷ ” ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ବୌଦ୍ଧ, ତା. ୦୮/୦୫ ଭାରତବର୍ଷର ଆଧ୍ୟାତ୍ମିକ ଐତିହ୍ୟ, ସଂସ୍କୃତି ଓ ଅଦମ୍ୟ ଆସ୍ଥାର ପ୍ରତୀକ “ସୋମନାଥ ସ୍ୱାଭିମାନ ପର୍ବ – ଅବିନାଶୀ ଆସ୍ଥାର ୧୦୦୦ ବର୍ଷ” ପୂର୍ତ୍ତି ଅବସରରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ସ୍ମୃତି ଓ ଭକ୍ତିମୟ କାର୍ଯ୍ୟକ୍ରମ ଆସନ୍ତା ମେ ୧୧ ତାରିଖରେ ବୌଦ୍ଧ ସହରସ୍ଥିତ ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଆୟୋଜିତ ହେବ ।ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ, ବୌଦ୍ଧ ପକ୍ଷରୁ ଆୟୋଜନ କରାଯାଉଛି । ଏହାର ସୂଚାରୁ ସମ୍ପାଦନ ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ କନଫରେନ୍ସ ହଲ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବୌଦ୍ଧ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧନ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
ଦେଶବ୍ୟାପୀ ପାଳିତ ଏହି ବିଶେଷ ଅବସରରେ ସୋମନାଥ ମନ୍ଦିରର ଐତିହାସିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବକୁ ସ୍ମରଣ କରାଯିବା ସହ ଭାରତୀୟ ସଂସ୍କୃତିର ଅକ୍ଷୟ ଆତ୍ମାକୁ ଉଜାଗର କରାଯିବ । ସ୍ଥାନୀୟ ରାମେଶ୍ୱର ମନ୍ଦିରରେ ସୋମନାଥ ମନ୍ଦିର, ଗୁଜରାଟରୁ ପ୍ରସାରିତ ମୁଖ୍ୟ ଉତ୍ସବର ସିଧା ପ୍ରସାରଣ, ଓଁକାର ଧ୍ୱନି, ଭଜନ, ଭକ୍ତି ସଙ୍ଗୀତ, ସାମୂହିକ ପ୍ରାର୍ଥନା ଓ ଶିବତାଣ୍ଡବ ଆଧାରିତ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହେବ । ଏହା ସହ ମନ୍ଦିର ପରିସରରେ ଭଜନ କୀର୍ତ୍ତନ, ଆଲୋକସଜ୍ଜା, ରଙ୍ଗୋଲି, ପୁଷ୍ପ ସଜ୍ଜା ଓ ଭକ୍ତିମୟ ପରିବେଶ ସୃଷ୍ଟି କରାଯିବ ।
ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି, ସାଂସ୍କୃତିକ ଦଳ, ଯୁବ ସଂଗଠନ, ସମାଜସେବୀ ସଂସ୍ଥା ଏବଂ ସାଧାରଣ ଭକ୍ତମାନଙ୍କ ସକ୍ରିୟ ଅଂଶଗ୍ରହଣ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କୁ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି ।
