ଉତ୍ତମ ସମାଜ ଗଠନ ପାଇଁ ସମାଜମୁଖି ହେବା ଆବଶ୍ୟକ
ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ସଂପାନ ଉଦଘାଟିତ (କଳାହାଣ୍ଡି.ରମେଶ ଅଗ୍ରୱାଲ.)
ଭବାନୀପଟ୍ଟଣା, ୧୯ ଫେବୃଆରୀ: ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ପକ୍ଷରୁ ‘୨୧ତମ ଶତାବ୍ଦୀର ସମାଜ: ଗଠନ, ଅସମାନତା ଓ ସ୍ଥାୟୀ ଭବିଷ୍ୟତ’ ବିଷୟରେ ଦ୍ୱି ଦିବସୀୟ ଆନ୍ତର୍ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି। ସମାଜବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର ବିରେନ୍ଦ୍ର ସୁନା ଆବାହକ ଦାୟିତ୍ୱ ନିଭାଇଥିବାବେଳେ ସହକାରୀ ପ୍ରଫେସର ଶ୍ରୀ ଅଶ୍ୱିନୀ ଗୋମାଙ୍ଗୋ ସଂପାନର ସଂଚାଳନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ ଉଦଘାଟନୀ ଅଭିଭାଷଣରେ କହିଥିଲେ ଯେ, ୨୧ତମ ଶତାବ୍ଦୀରେ ସାମାଜିକ ଅସମାନତା ଓ ଗଠନାତ୍ମକ ପରିବର୍ତ୍ତନକୁ ବୁଝିବା ପାଇଁ ଗଭୀର ଗବେଷଣା ଅତ୍ୟାବଶ୍ୟକ। ସେ ଗବେଷକମାନଙ୍କୁ ସମାଜମୁଖି ଅଧ୍ୟୟନରେ ଅଧିକ ସକ୍ରିୟ ହେବାକୁ ଆହ୍ୱାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁକ୍ତରାଷ୍ଟ୍ରର ଆଇଟି ବିଶେଷଜ୍ଞ ଶ୍ରୀ ସଞ୍ଜୟ କୁମାର ଦାସ ତାଙ୍କ ଅଭିଭାଷଣରେ ପ୍ରଯୁକ୍ତିବିଦ୍ୟା ଓ ସମାଜର ସମ୍ପର୍କକୁ ଉଲ୍ଲେଖ କରି କହିଥିଲେ ଯେ, ସ୍ଥାୟୀ ଭବିଷ୍ୟତ ପାଇଁ ଡିଜିଟାଲ୍ ଅନ୍ତର୍ଭୁକ୍ତି ଆବଶ୍ୟକ। ସମ୍ମାନୀତ ଅତିଥି ପ୍ରଫେସର ରୋଲାଣ୍ଡ ହାର୍ଡେନବର୍ଗ (ଫ୍ରୋବେନିଉସ୍ ଇନଷ୍ଟିଚ୍ୟୁଟ, ଜର୍ମାନୀ) ସମାଜ ଓ ସାଂସ୍କୃତିକ ଗଠନ ଓ ଆନ୍ତର୍ଜାତୀୟ ପରିପ୍ରେକ୍ଷୀରେ ଅସମାନତା ବିଷୟରେ ଆଲୋଚନା କରିଥିଲେ। ଅନ୍ୟ ଜଣେ ସମ୍ମାନୀତ ଅତିଥି ପ୍ରଫେସର ପିଟର ବର୍ଗର (ଗ୍ରୋନିଙ୍ଗେନ ବିଶ୍ୱବିଦ୍ୟାଳୟ, ନେଦରଲ୍ୟାଣ୍ଡ) ଧର୍ମ, ସଂସ୍କୃତି ଓ ସମାଜର ପରିବର୍ତ୍ତନଶୀଳ ଚରିତ୍ର ଉପରେ ତାଙ୍କ ମତ ପ୍ରକାଶ କରିଥିଲେ। ପ୍ରଫେସର ଦୀପ୍ତି ରଞ୍ଜନ ସାହୁ (ଭାରତୀୟ ସମାଜବିଜ୍ଞାନ ସମିତି) ସମାଜବିଜ୍ଞାନର ଭୂମିକା ଓ ସମାନତାମୂଳକ ସମାଜ ଗଠନ ପାଇଁ ଗବେଷଣାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ପ୍ରଫେସର ଅରବିନ୍ଦ ଅନସାରୀ (ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ) ସାମାଜିକ ନ୍ୟାୟ ଓ ଶିକ୍ଷାର ଭୂମିକା ଉପରେ ମନ୍ତବ୍ୟ ରଖିଥିଲେ। ସହଯୋଗୀ ପ୍ରଫେସର ରାଜକିଶୋର ମହାନା ସମାଜ ଓ ଲୋକସ୍ୱାସ୍ଥ୍ୟ ବିଷୟରେ ତାଙ୍କ ଅନୁଭବ ବ୍ୟକ୍ତ କରିଥିଲେ। ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ଭାଷା ଓ ସାହିତ୍ୟ ମାଧ୍ୟମରେ ସମାଜିକ ସଚେତନତା ସୃଷ୍ଟି ହୋଇପାରିବ ବୋଲି ନିଜର ଅଭିମତ ପ୍ରକାଶ କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ରବୀନ୍ଦ୍ର ଗରଡା ମୁଖ୍ଯ ବକ୍ତା ରୂପେ ଉପସ୍ଥିତ ହୋଇ ୨୧ତମ ଶତାବ୍ଦୀରେ ସାମାଜିକ ପରିବର୍ତ୍ତନ ଓ ଅସମାନତାର ନୂତନ ଆୟାମ ବିଷୟରେ ଗଭୀର ବିଶ୍ଳେଷଣ କରିଥିଲେ। ପରିଶେଷରେ ସହକାରୀ ପ୍ରଫେସର ଡକ୍ଟର ପ୍ରିୟରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମାଜବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁବଳ ତାଣ୍ଡି, ଡକ୍ଟର ରୋଜାଲିନ ବେହେରା, ଶ୍ରୀ ଆରିଫ ରାଜା ତଥା ଗବେଷକ-ଗବେଷିକା ,ଛାତ୍ରଛାତ୍ରୀ, ବଶିଷ୍ଠ ସାମ୍ୱାଦିକ ତଥା କବି କାର୍ତ୍ତିକେଶ୍ୱର ନନ୍ଦ ସହ ଅନ୍ୟ ବରିଷ୍ଠ କର୍ମକର୍ତ୍ତା, ସାମ୍ୱାଦିକ ମାନଙ୍କ ସହଯୋଗସହ କାର୍ଯ୍ୟକ୍ରମ ସଂପାନଟି ଅନୁଷ୍ଠିତ ହୋଇଥିଲା ।
