କାମାକ୍ଷାନଗରରେ ‘ସଖୀ ଓନ୍ ଷ୍ଟପ୍ ସେଣ୍ଟର୍’ ଉଦ୍ଘାଟିତ:
କାମାକ୍ଷାନଗର, ୯ ଫେବୃଆରୀ ୨୦୨୬: କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମହିଳାମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ଉଦ୍ଦିଷ୍ଟ ଏକ ଅତିରିକ୍ତ ‘ସଖୀ ଓନ୍ ଷ୍ଟପ୍ ସେଣ୍ଟର୍’ ସୋମବାର ଅପରାହ୍ନ ୩ଟା ସମୟରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍, ଢେଙ୍କାନାଳ ବିଜେପି ଜିଲ୍ଲା ସଭାପତି ଶ୍ରୀ ରାହାସ ବିହାରୀ ବେହେରା, ଜିଲ୍ଲା ସମାଜ ମଂଗଳ ଅଧିକାରୀ ଶ୍ରୀମତୀ ସଙ୍ଗୀତା ପାତ୍ର, କାମାକ୍ଷାନଗର ଉପ-ଜିଲ୍ଲାପାଳ ଶ୍ରୀ ଦୀନମଣି ନାୟକ, ସୋଭା ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ଉଦୟେନ୍ଦୁ ମିଶ୍ର, ଯୋଗଦେଇ କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋଭା ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ଉଦୟେନ୍ଦୁ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସମାଜ ମଂଗଳ ଅଧିକାରୀ ଶ୍ରୀମତୀ ସଙ୍ଗୀତା ପାତ୍ର କେନ୍ଦ୍ରର କାର୍ଯ୍ୟପଦ୍ଧତି ଓ ମହିଳାମାନଙ୍କ ପାଇଁ ଉପଲବ୍ଧ ପାଞ୍ଚଟି ମୁଖ୍ୟ ସେବା (ଡାକ୍ତରୀ ସେବା, ମାନସିକ ପରାମର୍ଶ, ପୋଲିସ ସହାୟତା, ଆଇନଗତ ପରାମର୍ଶ ଏବଂ ଅସ୍ଥାୟୀ ଆଶ୍ରୟ) ବିଷୟରେ ସୂଚନା ଦେଇଥିଲେ।
ଏହି କେନ୍ଦ୍ରଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୋଭା’ ଦ୍ୱାରା ପରିଚାଳିତ ହେବ।
ଏହି ଅବସରରେ କନ୍ୟା ସନ୍ତାନର ଗୁରୁତ୍ୱ ବୁଝାଇବା ପାଇଁ ‘ମୋ ଗେହ୍ଲା ଝିଅ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାପାଳଙ୍କ ଦ୍ୱାରା କନ୍ୟା ସନ୍ତାନଙ୍କ ଅଭିଭାବକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ କିଶୋରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ‘କିଶୋରୀ ମେଳା’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।
(ଧର୍ମାନନ୍ଦ ସେଠି ଙ୍କ ଖବର )
